କେନ୍ଦୁଝର,୩ା୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ତହସିଲ କାର୍ଯ୍ୟାଳୟ ନିକଟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ଲାଗି ପ୍ରସ୍ତାବିତ ସ୍ଥାନରେ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାର ନିର୍ମାଣ କରାଯିବା ଘଟଣାକୁ ବିରୋଧ କରାଯାଇଛି। ଏନେଇ ସାମାଜିକ ସଂଗଠନ ଆଦିବାସୀ ହୋ ସମାଜ ମହାସଭାର କର୍ମକର୍ତ୍ତା ଜିଲାପାଳ ଆଶୀଷ ଠାକରେଙ୍କୁ ଭେଟିିଛନ୍ତି। ଶୌଚାଳୟ ନିର୍ମାଣ କାମ ତୁରନ୍ତ ବନ୍ଦ କରିବା ସହ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ର୍ତ୍ତିି ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଯେ, ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ର୍ତ୍ତିି ସ୍ଥାପନ ପାଇଁ ଚମ୍ପୁଆ ତହସିଲ ପକ୍ଷରୁ ଚିଠି ସଂଖ୍ୟା ୨୭୩୮/୧୦ା୭ା୨୦୨୩ରେ ଚମ୍ପୁଆ ମୌଜାର ଖାତା ନଂ.୫୪୬, ପ୍ଲଟ୍ ନଂ.୯୬୭(ଘରବାରି ଏକ)ର ଏ ୦.୦୧୫ ଡେସିମିଲ ଜମି ଯୋଗାଇ ଦିଆଯାଇଛି। ତେବେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) କର୍ତ୍ତୃପକ୍ଷ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନୋ-ଅବଜେକସନ ସାର୍ଟିଫିକେଟ (ଏନ୍ଓସି) ଦେବା ବଦଳରେ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରାଯାଉଥିବା ଆଦିବାସୀ ହୋ ସମାଜ ମହାସଭାର ଜିଲା ସଭାପତି ଗୌରଚନ୍ଦ୍ର ମୁଣ୍ଡା ଅଭିଯୋଗ କରିଛନ୍ତି। ପ୍ରତିମୂର୍ତ୍ତି ସ୍ଥାପନ ପରେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଉନ୍ମୋଚନ କରାଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୧୫ରେ ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ପାଳନ ଦିନକୁ ‘ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ’ ରୂପେ ପାଳନ କରାଯାଇ ଆସୁଛି। ତେବେ ଜୟନ୍ତୀ ପାଳନ ପୂର୍ବରୁ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ସରକାରୀ ଛୁଟି ଥିବା ସୁଯୋଗରେ ତରବରିଆ ଭାବେ ଉକ୍ତ ସ୍ଥାନରେ ଚମ୍ପୁଆ ଏନ୍ଏସି ପକ୍ଷରୁ ବିନା ସୂଚନା ଫଳକରେ ‘ସର୍ବସାଧାରଣ ଶୌଚାଳୟ ଏବଂ ପରିସ୍ରାଗାର’ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରବିବାର ଆଦିବାସୀ ହୋ ସମାଜ ମହାସଭାର ଜରୁରୀ ବୈଠକ ବସି ଶୌଚାଳୟ ନିର୍ମାଣକୁ ବିରୋଧ କରାଯାଇଥିଲା। ଏନ୍ଏସି ପ୍ରଶାସନର ଏଭଳି କାର୍ଯ୍ୟକଳାପ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଅପମାନ ସଦୃଶ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲାତେଣୁ ତୁରନ୍ତ ବିନା ସୂଚନା ଫଳକରେ ଶୌଚାଳୟ ଏବଂ ପରିସ୍ରାଗାର ନିର୍ମାଣକୁ ବନ୍ଦ କରାଯାଉ ବୋଲି ଆଦିବାସୀ ହୋ ସମାଜ ମହାସଭା ଦାବି କରିଛି। ଏନେଇ ଚମ୍ପୁଆ ଏନ୍ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କୁ ପଚାରିବାରୁ ଉକ୍ତ ଜମି ନିକଟରେ ପାଇଖାନା ଟାଙ୍କିି ରହିଛି। ସେଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସୁବିଧା ନାହିଁ। ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବଜାର ଉପରେ ଜମି ଦିଆଯିବ ବୋଲି କୁହାଯାଇଛି। ଏନ୍ଏସି ଅଞ୍ଚଳରେ ତହସିଲଦାର କିଭଳି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜମି ଦେଲେ ସେ ବିୟରେ ଜଣାନାହିଁ ବୋଲି କହିଛନ୍ତି।