ନୂଆଦିଲ୍ଲୀ, ୧୫ା୩ : ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ମୁଦ୍ରାସ୍ଫୀତି ଫେବୃୟାରୀରେ ୩.୮୫ ପ୍ରତିଶତକୁ ହ୍ରାସ ପାଇଛି। ଜାନୁୟାରୀରେ ଏହା ୪.୭୩ ପ୍ରତିଶତ ଥିଲା। ଗତବର୍ଷ ଫେବୃୟାରୀରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୧୩.୪୩ ପ୍ରତିଶତ ରହିଥିବାବେଳେ ବର୍ଷକ ମଧ୍ୟରେ ଏହା ପାଖାପାଖି ୧୦ ପ୍ରତିଶତ ହ୍ରାସ ପାଇଛି। ତେବେ ଖାଦ୍ୟସାମଗ୍ରୀ ମୁଦ୍ରାସ୍ଫୀତି ଫେବୃୟାରୀରେ ୩.୮୧ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହାକି ଜାନୁୟାରୀରେ ୨.୩୮ ପ୍ରତିଶତ ରହିଥିଲା। ଫେବୃୟାରୀରେ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ଖାଦ୍ୟ ଓ ଅଣଖାଦ୍ୟ ସାମଗ୍ରୀ ସମେତ ରାସାୟନିକ, ବୈଦ୍ୟୁତିକ ଓ ଅନ୍ୟାନ୍ୟ ସାମଗ୍ରୀ ଦର କମିଥିବାରୁ ମୁଦ୍ରାସ୍ଫୀତି ହ୍ରାସ ପାଇଥିବା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଫେବୃୟାରୀରେ ଡାଲି ମୁଦ୍ରାସ୍ଫୀତି ୨.୫୯ ପ୍ରତିଶତ ରହିଥିବାବେଳେ ପନିପରିବା ମୁଦ୍ରାସ୍ଫୀତି ବିଯୁକ୍ତ ୨୧.୫୩% ଏବଂ ତୈଳବୀଜ ମୁଦ୍ରାସ୍ଫୀତି ବିଯୁକ୍ତ ୭.୩୮% ରହିଛି।