ମୋବାଇଲ୍‌ ସିମ୍‌ ଭଳି ବିଦ୍ୟୁତ୍‌ ସଂଯୋଗ ବି ବଦଳାଇ ପାରିବେ ଉପଭୋକ୍ତା…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗାମୀ କିଛି ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଶୋଧନ ବିଲ୍‌, ୨୦୨୧ ଅଣାଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ସମ୍ମୁଖରେ ଅନୁମୋଦନ ପାଇଁ ଏହାକୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହେଉଛି। ଏହାଦ୍ୱାରା ଉପଭୋକ୍ତାମାନେ ଏଣିକି ମୋବାଇଲ ସଂଯୋଗକୁ ପୋର୍ଟ କରିବା ଭଳି ବିଦ୍ୟୁତ୍ ସଂଯୋଗକୁ ମଧ୍ୟ ପରିବର୍ତ୍ତନ କରିପାରିବେ। ଫଳରେ ବିଦ୍ୟୁତ୍  ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ସୁଯୋଗ ମିଳିବା ସହିତ ବିତରଣକାରୀ କମ୍ପାନୀଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇପାରିବ। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୧ ଉପରେ ବିଚାର ଏବଂ ଅନୁମୋଦନ ପାଇଁ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ ଆଣିବାକୁ ସରକାର ଚାହୁଁଛନ୍ତି। ୧୩ ଅଗଷ୍ଟରେ ମୌସୁମୀ ଅଧିବେଶନ ଶେଷ ହେବ। ୨୦୨୧ ଜୁଲାଇ ୧୨ରେ ଜାରି ହୋଇଥିବା ଲୋକସଭାର ବୁଲେଟିନ ଅନୁଯାୟୀ, ବିଦ୍ୟୁତ୍‌ ସଂଶୋଧନ ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ୧୭ଟି ବିଲ୍‌ ମଧ୍ୟରେ ତାଲିକାଭୁକ୍ତ କରାଯାଇଛି।
ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି ଯେ, ପ୍ରସ୍ତାବିତ ସଂଶୋଧନ ବିଦ୍ୟୁତ୍‌ ଆଇନର ବଣ୍ଟନ ବ୍ୟବସାୟରୁ ଲାଇସେନ୍ସକୁ ହଟାଇବ ଏବଂ ପ୍ରତିଯୋଗିତା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହା ସହିତ ପ୍ରତ୍ୟେକ କମିଶନରେ ଆଇନ ପେଶା ସହିତ ସମ୍ପର୍କ ରଖିଥିବା ସଦସ୍ୟଙ୍କୁ ନିଯୁକ୍ତ କରାଯିବ। ଏହା ବ୍ୟତୀତ ବିଦ୍ୟୁତ୍‌ ଅପିଲ ଟ୍ରିବ୍ୟୁନାଲ (ଏପିଟିଇଏଲ୍‌)କୁ ସଶକ୍ତ କରିବା ଏବଂ ବିକଳ୍ପ ଶକ୍ତି ଉତ୍ସ କ୍ରୟ ପ୍ରତିଶ୍ରୁତି ବଦ୍ଧତା (ଆର୍‌ପିଓ) ପୂରଣ ନ କରାଗଲେ ଏଥିରେ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିବ।

Share