କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଥିବା ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ସେମାନେ କହିଛନ୍ତି, ବନ୍ଦର ସହର ଚିଟାଗଙ୍ଗଠାରୁ ୪୦ କିଲୋମିଟର ଦୂରରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ଶନିବାର ନିଆଁ ଲାଗିଥିଲା। ଅଗ୍ନିଶମ ବିଭାଗର ଅଧିକାରୀ ଫାରୁକ ହୁସେନ ସିକ୍‌ଦାର ରବିବାର ସକାଳେ କହିଛନ୍ତି, ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟସ୍ଥ ଘରଗୁଡ଼ିକର ଝରକା ଭାଙ୍ଗି ଯାଇଛି। ଚିଟାଗଙ୍ଗ ସିଭିଲ ସର୍ଜନ ମହମ୍ମଦ ଇଲିୟାସ ହୁସେନ କହିଛନ୍ତି, ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ବଢ଼ିପାରେ। ଆହତଙ୍କ ମଧ୍ୟରେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଅଛନ୍ତି ବୋଲି ସେ କହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସେ ଜିଲାର ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ସହ ଜରୁରିକାଳୀନ ରକ୍ତଦାନ ପାଇଁ ଆହ୍ବାନ ଦେଇଛନ୍ତି।

Share