Categories: ଜାତୀୟ

ଲୁଚକାଳି ଖେଳ ସମୟରେ ବନ୍ଦ ହୋଇଗଲା କଣ୍ଟେନର: ଶ୍ୱାସରୁଦ୍ଧ ହୋଇ ୫ ଶିଶୁଙ୍କ ମୃତ୍ୟୁ

ବିକାନେର,୨୨।୩: ଲୁଚକାଳି ଖେଳରୁ ଗୋଟିଏ ପରିବାରର ୫ ଜଣ ଶିଶୁଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ରାଜସ୍ଥାନର ବିକାନେରର ହିମତ୍ତସର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୫ ଭାଇ ଭଉଣୀ ଏକ ଖାଦ୍ୟ ଶସ୍ୟ କଣ୍ଟେନରରେ ଲୁଚକାଳି ଖେଳୁଥିଲେ। ତେବେ ଖେଳ ଶେଷରେ କାଳ ପାଲଟିଥିଲା। ହଠାତ୍‌ କଣ୍ଟେନରର ଢାଙ୍କୁଣି ବନ୍ଦ ହୋଇ ଯାଇଥିଲା। ଭିତରେ ବନ୍ଦ ଥିବା ଶିଶୁଙ୍କ ପାଟି କେହି ଶୁଣି ପାରି ନ ଥିଲେ। ଚାଷୀ ଭିୟାରାମଙ୍କର ପରିବାର ସଦସ୍ୟ ଜମିରେ କାମ କରିବାକୁ ଯାଇଥିବାବେଳେ ଘରେ ଥିବା ଛୋଟ ପିଲା ଲୁଚକାଳି ଖେଳୁଥିଲେ। ମା’ ଘରକୁ ଫେରି ପିଲାଙ୍କୁ ଖୋଜାଖୋଜି କରି ମଧ୍ୟ ପାଇ ନ ଥିଲେ। ଶେଷରେ ସନ୍ଦେହ କରି କଣ୍ଟେନର ଖୋଲିଥିଲେ। ଉଦ୍ଧାର କରି ଶିଶୁମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତ ମୃତ ଶିଶୁଙ୍କ ବୟସ ୧୦ ବର୍ଷରୁ କମ୍‌ ବୋଲି ବରିଷ୍ଠ ପୋଲିସ ଅଧିକାରୀ ପ୍ରୀତି ଚନ୍ଦ୍ରା ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୪ ବର୍ଷର ସେବାରାମ, ୭ ବର୍ଷର ରବିନା, ୫ ବର୍ଷର ରାଧା, ୮ ବର୍ଷର ପୁନମ୍‌ ଏବଂ ଜଣେ ଛୋଟ ଶିଶୁ କନ୍ୟା ମାଲି ରହିଛନ୍ତି। ଏହି ଘଟଣା ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।

Share