ଦୂଷିତ ପାଣି ମୁଖ୍ୟ କାରଣ: ସିଡିଏମ୍‌ଓ

ବ୍ରହ୍ମପୁର ଅଫିସ,୧୭ା୧୦: କୁକୁଡ଼ାଖଣ୍ଡି ବ୍ଲକ୍‌ ଲାଠି ଗ୍ରାମରେ ଗତ ୧ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିଲା। ଲାଠି ପଞ୍ଚାୟତର ଲାଠି ଓ ବେନ୍ଧାଳିଆ ଗ୍ରାମର ପ୍ରାୟ ୬୦ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ। ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଥିଲା। ଏଥିପାଇଁ ଗାଁକୁ ଯୋଗାଣ ହେଉଥିବା ପାଇପ୍‌ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ସେହି ନମୁନାର ରିପୋର୍ଟ ଆସିଛି। ଦୂଷିତ ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ଉମା ଶଙ୍କର ମିଶ୍ର ରବିବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ଗାଁରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ନେଇ ମଧ୍ୟ ସେ କହିଛନ୍ତି।
ଲାଠି ଗାଁର କେତେଜଣ ଲୋକ ଗତ ୧ତାରିଖରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ଗାଁର ବିଭିନ୍ନ ସାହିକୁ ଝାଡ଼ାବାନ୍ତି ବ୍ୟାପିଥିଲା। ପ୍ରତିଦିନ କିଛି କିଛି ଲୋକ ଝାଡ଼ାବାନ୍ତି ସମସ୍ୟା ନେଇ ଲାଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ। ଆରଡବ୍ଲୁଏସ୍‌ଏସ୍‌ ବିଭାଗ ପକ୍ଷରୁ ଲାଠି ଗାଁର ବିଭିନ୍ନ ଘରକୁ ପାଇପ୍‌ ଯୋଗେ ପାଣି ଯୋଗାଣ ହେଉଛି। ସେହି ପାଣି ବ୍ୟବହାର କରିବା ଦ୍ୱାରା ଝାଡ଼ାବାନ୍ତି ବ୍ୟାପିଥିବା ଡାକ୍ତରୀ ଟିମର ସନ୍ଦେହ ସତ୍ୟ ବୋଲି ଜଣାପଡ଼ିଛି। ଏଣୁ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର୍‌ ସିଞ୍ଚନ କରାଯାଇ ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମବାସୀଙ୍କ ଘରକୁ ଘର ବୁଲି ଔଷଧ ବଣ୍ଟନ କରାଯାଇଥିଲା। ସେପଟେ ପାଇପ୍‌ ପାଣି ବନ୍ଦ କରି ଟ୍ୟାଙ୍କର ଯୋଗେ ଲାଠି ଗାଁକୁ ଜଳ ଯୋଗାଣ କରାଯାଇଥିଲା। ଅନ୍ୟପଟେ ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମରେ ମଧ୍ୟ ୧୧ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଲାଠି ଗ୍ରାମରେ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ପକ୍ଷରୁ କରାଯାଇଥିବା ଟାଙ୍କି ସଫା କରି ପାଣି ବିଶୋଧାନ ପରେ ତାହା ଏବେ ଲୋକଙ୍କୁ ଯୋଗାଣ କରାଯାଉଛି। ପୁଣିଥରେ ବର୍ତ୍ତମାନ ପାଇପ ଯୋଗେ ଯୋଗାଣ ହେଉଥିବା ପିଇବା ପାଣିର ନମୁନା ସଂଗ୍ରହ କରାଯାଇ ତାହା ପରୀକ୍ଷା ପାଇଁ ପଠାଯିବ ବୋଲି ସିଡିଏମଓ ମିଶ୍ର କହିଛନ୍ତି।

Share