ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ

ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଦେବୁଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ନିଜ ପ୍ରଦର୍ଶନ ମାଧ୍ୟମରେ ଓସ୍ତାଦ ଦେବୁ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୧୯୪୭ ଜୁଲାଇ ୨୩ ର ଗୁଜୁରାଟର ନାଭସାରିରେ ଜନ୍ମଗ୍ରହଣ କରିଥିବା ଓସ୍ତାଦ ଦେବୁ ତାଙ୍କ ପରାମର୍ଶଦାତା ପ୍ରହ୍ଲାଦ ଦାସଙ୍କଠାରୁ କଥକ ଶିକ୍ଷା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଗୁରୁ ଇ.କେ ପାନିକକରଙ୍କଠାରୁ କଥକଲୀ ଅଧ୍ୟୟନ କରିଥିଲେ। ପ୍ରାୟ ପାଞ୍ଚ ଦଶନ୍ଧି ଧରି ନୃତ୍ୟ ଜଗତ ସହ ଜଡିତ ଥିବା ଓସ୍ତାଦ ଦେବୁ ବିଶ୍ୱର ୭୦ଟି ଦେଶରେ ନୃତ୍ୟ ପରିବେଷଣ କରିଥିଲେ। ସେ କେବଳ ନୃତ୍ୟରେ ନୁହେଁ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଥିଲେ। ଭାରତ ଏବଂ ବିଦେଶରେ କାନକୁ ଶୁଭୁ ନ ଥିବା ପିଲାଙ୍କ ପାଇଁ ସେ ସେବା କରିଥିଲେ। ୨୦୦୨ରେ, ଓସ୍ତାଦ ଦେବୁ ଡ୍ୟାନ୍ସ ଫାଉଣ୍ଡେସନ ମାଧ୍ୟମରେ ସେ ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ଓସ୍ତାଦ ଦେବୁ ବଲିଉଡର ନିର୍ଦ୍ଦେଶକ ମଣିରତ୍ନମ, ବିଶାଲ ଭରଦ୍ୱାଜଙ୍କ ପରି ଭେଟେରାନମାନଙ୍କ ସହ କାମ କରିଥିଲେ। ୨୦୦୭ରେ ପଦ୍ମଶ୍ରୀ ବ୍ୟତୀତ ତାଙ୍କୁ ୧୯୯୫ରେ ସଂଗୀତ ନାଟକ ଏକାଡେମୀ ପ୍ରଦାନ କରାଯାଇଥିଲା।

Share