Categories: ଜାତୀୟ

ଅଦାଲତ ଅବମାନନା ମାମଲା ବନ୍ଦ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୪: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଧର୍ମଘଟ ଓ ପିକେଟିଂରେ ସାମିଲ ହୋଇଥିବା ଓକିଲମାନଙ୍କ ବିରୋଧରେ ଅଦାଲତ ଅବମାନନା ବିଚାର ପ୍ରକ୍ରିୟା ବନ୍ଦ କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ସମସ୍ତଙ୍କୁ ସତ୍ୟପାଠ ଦାଖଲ ଲାଗି ସୁଯୋଗ ଦିଆଯାଉ ବୋଲି ଜଷ୍ଟିସ୍‌ ଏସ୍‌.କେ. କୌଲ ଏବଂ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଶୁଣାଣି ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଆଇନଜୀବୀ ଶିବୋଶଙ୍କର ମିଶ୍ରା କହିଥିଲେ, ୩୩ ଜଣ ଓକିଲ ଲିଖିତ ପ୍ରତିଶ୍ରୁତି ସହ ସତ୍ୟପାଠ ଏପର୍ଯ୍ୟନ୍ତ ଦାଖଲ କରିନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ବାରଣ ସତ୍ତ୍ୱେ ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ। ସେଥିପାଇଁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ୧୯୧ ଜଣ ଓକିଲଙ୍କୁ ଅଦାଲତ ଅବମାନନା ନୋଟିସ ପଠାଇଥିଲେ। ୩୩ ଓକିଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ସହ ସତ୍ୟପାଠ ଦାଖଲ ଲାଗି ଶେଷ ସୁଯୋଗ ଭାବେ ୩ ସପ୍ତାହ ସୁଯୋଗ ଦିଆଗଲା। ଏହି ସମୟସୀମା ମଧ୍ୟରେ ଯଦି ସେମାନେ ସତ୍ୟପାଠ ଦାଖଲ ନ କରନ୍ତି, ତେବେ ସେମାନଙ୍କର କିଛି କହିବାର ନାହିଁ ବୋଲି ଧରାଯାଇ ଅଦାଲତ ଅବମାନନା ମାମଲାର ବିଚାର ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜ୍ୟରେ ସବୁ ଅଦାଲତ ଚାଲୁଛି କି ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିବାରୁ ସବୁ ଠିକ୍‌ଠାକ୍‌ ଚାଲିଥିବା ମିଶ୍ରା କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ ହୋଇଛି।

Share