ବିଦେଶ ଫେରନ୍ତାଙ୍କ ପାଇଁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭଞ୍ଜନଗର,୯।୧୨(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ଚ୍ଛେଦାଭୂମି ରୋଡ଼ ଗାୟତ୍ରୀ ନଗର ଛକରୁ ବାରିକ ସିମେଣ୍ଟ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ଗୁରୁବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳକୁ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଦୁବାଇ ଫେରନ୍ତା ଅତିଥି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅତିଥି ଜଣକ ରାଉରକେଲା ବାସିନ୍ଦା। ସେ ଦୁବାଇରୁ ଗତ ୩୦ ତାରିଖରେ ଭୁବନେଶ୍ୱର ଆସିଥିଲେ । ରାଉରକେଲା ଯାଇ କିଛିଦିନ ରହିବା ପରେ ଗତ ୭ ତାରିଖରେ ବସ୍‌ ଯୋଗେ ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଧ୍ୟାରେ ତାଙ୍କ ପାଖକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫୋନ ଆସିଥିଲା। ୨ ଘଣ୍ଟା ପରେ ଭଞ୍ଜନଗର ମେଡ଼ିକାଲ ଷ୍ଟାଫ୍‌ ଲଣ୍ଡେଇସାହିରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣି ମେଡ଼ିକାଲର ଆଇସୋଲେଶନ ୱାର୍ଡ଼ରେ ରଖିଛନ୍ତି । ସେ ସୁସ୍ଥ ଥିଲେ ମଧ୍ୟ ଓମିକ୍ରନ୍‌ରେ ଆକ୍ରାନ୍ତ କି ନାହିଁ ଜାଣିବା ଲାଗି ତାଙ୍କ ସ୍ବାବ୍‌ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯାଇଛି। ଏଥିସହ ସମ୍ପର୍କୀୟଙ୍କ ଘରର ୩ ଜଣଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଛି । ଏହି ଖବର ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Share