Advertisement

ମହାନଦୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରୁ ଭାଜାପା: ବିଜେଡି

ସମ୍ବଲପୁର,୯ା୫(ପ୍ରମୋଦ ବହିଦାର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ଭାଜପା ନେତାଙ୍କ ମିଛ ଧରାପଡିଛି। ମହାନଦୀ ଶୁଖିଲା ପଡିଛି, ଏଥିପାଇଁ ଦାୟୀ କିଏ। ସେ ସମ୍ପର୍କରେ ମୁହ ଖୋଲିବା ବଦଳରେ କେବଳ ନିର୍ବଚନ ସମୟରେ ଓଡ଼ିଶାରେ ଏହାକୁ ମିଛ ପ୍ରସଙ୍ଗ କରି ଫାଇଦା ନେବାକୁ ଚେଷ୍ଟା କରୁଛି ଭାଜପା ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଡ. ଲେନିନ ମହାନ୍ତି ଏକ ପ୍ରେସ୍‌ ବିବୃତ୍ତି ମାଧ୍ୟମରେ କହିଛନ୍ତି। ସେ କହିଛନ୍ତି ଯେ , ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ମହାନଦୀରେ ଏକାଧିକ ବ୍ୟାରେଜ ନିର୍ମାଣ କରି ପାଣିକୁ ରୋକିଛି। ଫଳରେ ଓଡ଼ିଶାରେ ମହାନଦୀ ଧାର ଶୁଖିଲା ପଡ଼ିଛି। ଏହାକୁ ସ୍ବୀକାର କରିବାକୁ ଭାଜପା ନେତୃମଣ୍ଡଳୀର ସତ୍‌ସାହାସ ନାହିଁ।

ଛତିଶଗଡ଼ରେ ଭାଜପା ସରକାର ଗଠନ ହେବାପରେ ସମସ୍ତ ବ୍ୟାରେଜର ଗେଟ ବନ୍ଦ କରି ମହାନଦୀର ପାଣିକୁ ଅଟକାଇ ରଖି ଦିଆଯାଇଛି। ମାତ୍ର ଓଡ଼ିଶାର ଭାଜପା ନେତା ଏଥିପାଇଁ ରାଜ୍ୟ ସରକାରଙ୍କୁ ଦୋଷ ଦେଇ ହୀନ ରାଜନୀତି କରିବାରେ ମାତିଛନ୍ତି ବୋଲି ଡ. ମହାନ୍ତି କହିଛନ୍ତି। ମେ ପ୍ରଥମ ସପ୍ତାହରୁ ମହାନଦୀରେ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୩୩୦ କ୍ୟୁସେକ୍‌ ଜଳ ପ୍ରବେଶ ହେଉଛି। ବର୍ତ୍ତମାନ ଓଡ଼ିଶାର ଚାଷଜମିକୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ହୀରାକୁଦ ଜଳଭଣ୍ଡାରକୁ ଅନୂନ୍ୟ ୧୦ ହଜାର କ୍ୟୁସେକ ଜଳ ପ୍ରବେଶର ଆବଶ୍ୟକତା ରହିଛି। ପୂର୍ବରୁ ଛତିଶଗଡ଼ରେ ଥିବା କଂଗ୍ରେସ ସରକାରଙ୍କୁ ଭାଜପା ଏଥିପାଇଁ ଦୋଷୀ କରିଥିବା ବେଳେ ବର୍ତ୍ତମାନ ଏହାକୁ ନେଇ ଆଦୌ ମୁହଁ ଖୋଲୁନଥିବା ଦୁର୍ଭାଗ୍ୟଜନକ। ରାଜନୈତିକ ଫାଇଦା ପାଇଁ ଜନସାଧାରଣଙ୍କ ସ୍ବାର୍ଥଙ୍କୁ ଜଳାଞ୍ଜଳି ଦେଇ ଛତିଶଗଡ ସରକାର ଓଡିଶାର ଜୀବନରେଖାକୁ ମାରିବାକୁ ଚେଷ୍ଟା କରୁଛି। ତେବେ ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ ସତ୍‌ସାହାସ ଅଛି ତାହେଲେ ଛତିଶଗଡ଼ ସରକାରଙ୍କୁ ଏନେଇ ଥରେ ପ୍ରଶ୍ନ କରନ୍ତୁ, ଅନ୍ୟଥା ଓଡ଼ିଶାର ଜନସାଧାରଣ ତାଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି କହିଛନ୍ତି ଡ. ଲେନିନ୍‌ ମହାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share