ଚାଇନା ମାଟିରୁ ଭାରତର ଗୁଣଗାନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୬: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଲିଆନରେ ପହଞ୍ଚିଥିବା ମାଳଦ୍ୱୀପ ଅର୍ଥନୈତିକ ବିକାଶ ତଥା ବାଣିଜ୍ୟ ମନ୍ତ୍ରୀ ମହମ୍ମଦ ସଇଦ ଏକ ସାକ୍ଷାତକାରରେ କହିଛନ୍ତି, ରାଷ୍ଟ୍ରପତି ମହମ୍ମଦ ମୁଇଜୁ କହିଛନ୍ତି ଯେ, ଭାରତ ଆମର ନିକଟତମ ପଡ଼ୋଶୀ ଅଟେ।
WEFରେ ଯୋଗଦେବା ପାଇଁ ଡାଲିଆନରେ ପହଞ୍ଚିଥିବା ମାଳଦ୍ୱୀପ ମନ୍ତ୍ରୀ କହିଛନ୍ତି. ଭାରତ ଏବଂ ମାଲଦ୍ୱୀପର ଦୀର୍ଘ ଦିନର ସମ୍ପର୍କ ରହିଛି। ବିଶେଷକରି ପର୍ଯ୍ୟଟନ ଦୃଷ୍ଟିରୁ ଭାରତ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଅଟେ। ମାଲଦ୍ୱୀପ ଏବଂ ଭାରତ ମଧ୍ୟରେ ଥିବା ତିକ୍ତ ସମ୍ପର୍କକୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିବାବେଳେ ସେ କହିଛନ୍ତି, ମାଳଦ୍ୱୀପରେ ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରେ ଭାରତର ବହୁ ବିନିଯୋଗ ରହିଛି।
ନୂଆଦିଲ୍ଲୀରୁ ଘରକୁ ଫେରିବା ପରେ ରାଷ୍ଟ୍ରପତି ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ତାଙ୍କ ସରକାରୀ ଗସ୍ତକୁ ମାଳଦ୍ୱୀପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି।

Share