Advertisement

କଳାକାରଙ୍କ ହକ୍‌ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ କହିଛନ୍ତି। ପାଇକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପଶ୍ଚିମ ଓଡ଼ିଶାର ୧୧ଜିଲାର କଳାକାର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ମହାସଂଘର ଉପଦେଷ୍ଟା ପଦ୍ମଶ୍ରୀ ଡ. ଜିତେନ୍ଦ୍ରିୟ ହରିପାଲ ଯୋଗଦେଇ ସଂଗଠନ ମାଧ୍ୟମରେ କଳା, କଳାକାରଙ୍କ ସ୍ବାର୍ଥ ଓ ହକ୍‌ ମିଳି ପାରିବ। ଏଥିପାଇଁ ନିରନ୍ତର ଲଢେଇ ଜାରି ରଖିବା ପାଇଁ ମହାସଂଘକୁ ଆହ୍ବାନ ଦେଇଥିଲେ। ସମାଜସେବୀ ନିହାଲ ସିଂ, ବିଶିଷ୍ଟ ହାସ୍ୟ ଅଭିନେତା ବିନ୍ଦୁ ମଲ୍ଲିକ ପ୍ରମୁଖ
ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଗାମୀ ଦିନରେ କଳାକାର ମହାସଂଘ ପାଇଁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ବାଲେଶର କୁଅଁର ସାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମ୍ପାଦକ ଗୋପବନ୍ଧୁ ପୁରୋହିତ ମହାସଂଘର ବିବରଣୀ ଉପସ୍ଥାପନ କରିଥିଲେ। ସଂଯୋଜକ ପ୍ରମୋଦ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏହି ବୈଠକରେ କଳାହାଣ୍ଡି ଜିଲାରୁ ଲୋକନାଥ ନାଗ, ନୂଆପଡ଼ା ଜିଲାରୁ ଲକି ତାଣ୍ଡି, ବଲାଙ୍ଗୀର ଜିଲାରୁ ପଞ୍ଚାନନ ବାଗ, ସାନନ୍ଦ ଶିକା, ସୋନପୁର ଜିଲାରୁ ଲକ୍ଷ୍ମଣ ଭୋସାଗର, ଦେବଗଡ଼ ଜିଲାରୁ ବିପ୍ର ଜୟପୂରିଆ, ସମ୍ବଲପୁର ଜିଲାରୁ ଶାଶତ ସେଟ, ବୌଦ୍ଧ ଜିଲାରୁ ଗୁଣମଣି ପ୍ରଧାନ, ଝାରସୁଗୁଡ଼ା ଜିଲାରୁ ଗୋବିନ୍ଦ ପଟେଲ ପ୍ରମୁଖ ଯୋଗଦେଇ ନିଜ ଜିଲାରେ କଳାକାର ସଂଗଠନର ସ୍ଥିତି ଉପସ୍ଥାପନ କରିଥିଲେ। ଏହା ସହିତ କଳା, କଳାକାରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ବରଗଡ଼ରେ ଆୟୋଜିତ ହେବାକୁ ଥିବା ପଶ୍ଚିମାଞ୍ଚଳ କଳାକାର ମହାକୁମ୍ଭରେ କେଉଁ ଜିଲାରୁ କେତେ କଳାକାର ଅଂଶଗ୍ରହଣ କରିବେ ତାହା ମଧ୍ୟ ଉଲ୍ଲେଖ କରିବା ସହ ବରଗଡ଼ ଠାରେ ନିର୍ମାଣ ହେବାକୁ ଥିବା ଲୋକକଳା ଭବନର ଜମି ଓ ନିର୍ମାଣ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଧିବେଶନରେ ସର୍ବସମ୍ମତିକ୍ରମେ ମହାସଂଘର ସହ ସମ୍ପାଦକ ଭାବେ ଅଭିନେତା ଜଗଦାନନ୍ଦ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ବାରିକ, ସୁରଥ କୁଅଁର, ସନ୍ତୋଷ ସାହୁ ଖଗେଶ୍ବର ସାହୁ, ରାଧେଶ୍ୟାମ ଭେସ୍ରା, ଗଣେଶ ସାହୁ, ଦେବେନ୍ଦ୍ର ମଟାରି, ଅନିରୁଦ୍ଧ ପାଇକ, ଜିତେନ୍ଦ୍ରିୟ ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share