ଗର୍ଭନିରୋଧକ ବ୍ୟବହାର ରହିବ ଜାରି, ଆମେରିକା ସଦନରେ ବିଧେୟକ ପାରିତ…

ଓ୍ବାଶିଂଟନ,୨୨।୭ : ଆମେରିକାର ସୁପ୍ରିମକୋର୍ଟ ପୂର୍ବରୁ ଦେଶରେ ଗର୍ଭପାତ ଅଧିକାରକୁ ରଦ୍ଦ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ସଦନରେ ଏକ ବିଲ ଅନୁମୋଦିତ ହୋଇଛି। ଏହା ଗର୍ଭନିରୋଧକ ଔଷଧ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରିବାର ଅଧିକାରକୁ ସୁରକ୍ଷା ଦେଇଛି। ଆମେରିକାରେ ଲୋକଙ୍କର ଏବେ ଚିନ୍ତା ବଢ଼ିବାରେ ଲାଗିଛି ଯେ ସୁପ୍ରିମକୋର୍ଟ ବର୍ତ୍ତମାନ ଗର୍ଭନିରୋଧକ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହି କାରଣରୁ ମହିଳାମାନେ ଗର୍ଭନିରୋଧକ ବହୁ ପରିମାଣରେ କ୍ରୟ ଏବଂ ଷ୍ଟକ କରୁଥିବା କୁହାଯାଉଛି ।

ଚର୍ଚ୍ଚା ହେଉଛି ଯେ, ରକ୍ଷଣଶୀଳ ଆମେରିକାର ସୁପ୍ରିମକୋର୍ଟ ମଧ୍ୟ ଦେଶରେ ଗର୍ଭନିରୋଧକ ଔଷଧ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହାକୁ ଦୃଷ୍ଟିରେ ରଖି ନିମ୍ନ ସଦନ ଏହି ବିଲ ପାରିତ କରିଛି। ଦେଶରେ ଗର୍ଭପାତ କରିବାର ଅଧିକାରକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ଏହା ବିରୋଧରେ ଆମେରିକୀୟ ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଆମେରିକାର ସୁପ୍ରିମକୋର୍ଟଙ୍କ ରାୟ ପରେ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ଏବଂ ଗର୍ଭପାତ ଔଷଧ କ୍ରୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକାର କିଛି କ୍ଲିନିକ ଅନୁଯାୟୀ, ସେମାନଙ୍କର ଗର୍ଭପାତ ସମ୍ପର୍କିତ ଅନୁସନ୍ଧାନରେ ମଧ୍ୟ ଚାରି ଗୁଣ ବୃଦ୍ଧି ଘଟିଛି। ଗର୍ଭନିରୋଧକ ଔଷଧର ଚାହିଦା ସମ୍ପର୍କରେ କ୍ଲିନିକର ଜଷ୍ଟ ଦ ପିଲକୁ ଏକ ଘଣ୍ଟା ମଧ୍ୟରେ ୧୦୦ ଅର୍ଡର ମିଳୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ଆମେରିକୀୟ ମହିଳା ନିଜ ୧୬ ବର୍ଷର ଝିଅ ପାଇଁ ଜନ୍ମ ନିୟନ୍ତ୍ରଣ ବଟିକା ସଂଗ୍ରହ କରୁଛନ୍ତି କାରଣ ଦେଶରେ ଗର୍ଭପାତ ବେଆଇନ ଅଟେ। କେଟି ଥୋମାସ ନାମକ ଏହି ମହିଳା ନ୍ୟୁୟର୍କ ଟାଇମ୍ସକୁ କହିଛନ୍ତି ଯେ ମୋ ଝିଇ ପାଇଁ ଅବାଞ୍ଛିତ ଗର୍ଭଧାରଣ ଭୟରେ ମୁଁ ଏହି ଜନ୍ମ ନିୟନ୍ତ୍ରଣ ବଟିକା କିଣିଛି । ଯଦି ତାଙ୍କର ୨୧ ବର୍ଷର ପୁଅ ଏବଂ ତାଙ୍କ ପ୍ରେମିକା କାଳେ କେବେ ଆବଶ୍ୟକ କରିବେ ସେଥି ପାଇଁ ମୁଁ ଜରୁରୀକାଳୀନ ବଟିକା ମଧ୍ୟ ଷ୍ଟକ ରଖିଛି ।

ଆମେରିକାର ୬ଟି ରାଜ୍ୟରେ ଅନଲାଇନରେ ଗର୍ଭପାତ ବଟିକା ଯୋଗାଉଥିବା ଏକ ଷ୍ଟାର୍ଟଅପ ହେ ଜେନ ଅନୁଯାୟୀ ଏହାର ୱେବସାଇଟରେ ଚାହିଦା ୧୦୦୦ ପ୍ରତିଶତ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏଭଳି ସମସ୍ୟା ଥିବା ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।

Share