ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଦରମା

ଭୁବନେଶ୍ୱର, ୯।୭(ବ୍ୟୁରୋ): ଲକ୍‌ଡାଉନ ଯୋଗୁ କେତେକ ସରକାରୀ କାର୍ଯ୍ୟାଳୟ ଆଂଶିକ ଖୋଲା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏଥିରେ ନିଯୁକ୍ତ ଚୁକ୍ତିଭିତ୍ତିକ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଯୁକ୍ତ ଅଛନ୍ତି। ସେହି କର୍ମଚାରୀଙ୍କୁ ଦରମା ଦେବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ମତାମତ ଲୋଡ଼ାଯାଇଥିଲା। ଏନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଉଟସୋର୍ସିଂ ସଂସ୍ଥା ଦ୍ୱାରା ଯେଉଁ ଚୁକ୍ତିଭିତ୍ତିକ କର୍ମଚାରୀ ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇଛନ୍ତି ଲକ୍‌ଡାଉନରେ କିମ୍ବା ଚୁକ୍ତିଅବଧି ପର୍ଯ୍ୟନ୍ତ ସେମାନଙ୍କୁ ଦରମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସିଧାସଳଖ ବିଭାଗ ନିଯୁକ୍ତି ଦେଇଛି ସେମାନଙ୍କୁ ମଧ୍ୟ ଦରମା ଦେବା ଲାଗି କୁହାଯାଇଛି। ଯଦି ସେମାନଙ୍କ ନିଯୁକ୍ତି ଅବଧି ଶେଷ ହୋଇଥିବ ତେବେ ସ୍ବୟଂକ୍ରିୟ ଭାବେ ନବୀକରଣ ନ କରିବା ଲାଗି ବିଭାଗଗୁଡିକୁ ପରାମର୍ଶ ଦିଆଯାଇଛି। କଟକଣା ଉଠିବା ପରେ ଆବଶ୍ୟକ ପଡିଲେ ସେହି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇପାରିବ। ଏହାଛଡା କେତେକ ବିଭାଗରେ ଅବସର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। ସେହି କର୍ମଚାରୀମାନେ ପେନସନ ପାଉଛନ୍ତି। ଲକଡାଉନରେ ଯଦି କାମ କରିନାହାନ୍ତି ତେବେ ସେମାନଙ୍କୁ ପାଉଣା ନ ଦେବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ଆବଶ୍ୟକ ପଡ଼ିଲେ ଲକଡାଉନ କଟକଣା ଉଠିବା ପରେ ସେମାନଙ୍କ ନିଯୁକ୍ତି ଉପରେ ବିଚାର କରାଯାଇପାରେ। ସରକାରଙ୍କ ଉପରୋକ୍ତ ନିର୍ଦ୍ଦେଶକୁ ସମସ୍ତ ବିଭାଗ କଡାକଡି ପାଳନ କରିବାକୁ କହିଛନ୍ତି।

Share