Categories: ଜାତୀୟ

କଣ୍ଟ୍ରାକ୍ଟ ଫାର୍ମିଂ କେବଳ ବ୍ୟବସାୟରେ ସୀମିତ ନ ରହୁ: ମୋଦି

ନୂଆଦିଲ୍ଲୀ,୧।୩: ଦେଶରେ କୃଷି କ୍ଷେତ୍ର ତଥା କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କୃଷି ଉତ୍ପାଦନର ବୃଦ୍ଧି ସହିତ ଏସବୁର ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଏକବିଂଶ ଶତାବ୍ଦୀରେ ଏଭଳି କ୍ଷେତ୍ରରେ ଭାରତ ଯୋଜନାବଦ୍ଧ ଭାବେ ଆଗକୁ ଅଗ୍ରସର ହେଉଛି ବୋଲି ଆୟୋଜିତ ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ଦୁଇ ତିନି ଦଶକ ପୂର୍ବରୁ ଏକ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲେ ଅଧିକ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି। ଋଣ, ବିହନ, ବଜାର ଆଦି କୃଷକଙ୍କର ପ୍ରାଥମିକ ଆବଶ୍ୟକତା। ଏନେଇ ସେମାନେ ପାଖରେ ଆର୍ଥିକ ସହାୟତା ଠିକ ସମୟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ। ସେହିପରି ଦେଶରେ ବହୁ ବର୍ଷ ଧରି କଣ୍ଟ୍ରାକ୍ଟ ଫାର୍ମିଂ ଜାରି ରହିଛି। ତେବେ ଏହା କେବଳ ବ୍ୟବସାୟରେ ସୀମିତ ନ ରହିବା ଉଚିତ। ସମ୍ପୃକ୍ତ ଚାଷ ଜମି ପ୍ରତି ଦାୟିତ୍ୱବୋଧ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରରେ ସରକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ବହୁବିଧ ଗବେଷଣା କରାଯାଉଛି। ଏବେ ଏ କ୍ଷେତ୍ରରେ ଘରୋଇ ସେକ୍ଟରଗୁଡ଼ିକ କାର୍ଯ୍ୟ କରିବାର ସମୟ ଆସିଛି। ଏହାଦ୍ୱାରା ଦେଶର କୃଷି ଉତ୍ପାଦନ ବୃଦ୍ଧି ପାଇବା ସହିତ କୃଷକଙ୍କ ବିକାଶ ସମ୍ଭବ ହୋଇ ପାରିବ ବୋଲି ସେ କହିଛନ୍ତି।

Share