ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ ପଡି ୬ଜଣ ଠିକା ଶ୍ରମିକ ପୋଡି ଯାଇ ଆହତ ହୋଇଥିଲେ । ଗତ ୫ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୩ଜଣ ଠିକା ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ରହିଥିବାରୁ ସେମାନଙ୍କୁ ଉକ୍ତ ଦିନ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା। ଆହତମାନଙ୍କୁ ଭୁବନେଶ୍ବରର ଏକ ଘରେଇ ହସ୍‌ପିଟାଲରେ ଚିକିତ୍ସା କରାଯାଉଥିଲା। ଆହତଙ୍କ ମଧ୍ୟରୁ ଗଞ୍ଜାମ ଜିଲା ଜଗଦଳପୁରର ପି ଭଗବାନ ପାତ୍ର(୪୨)ଙ୍କ ଶରୀର ୭୦ ପ୍ରତିଶତ ପୋଡିଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଥିଲା । ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଏଭଳି ସ୍ଥିତିରେ ଗତ ୨ ଦିନ ତଳେ ତାଙ୍କର କରୋନା ଭାଇରସ ପରୀକ୍ଷା କଲାପରେ ପଜିଟିଭ ଚିହ୍ନଟ ହୋଇଥିଲା। ଏହା ଜଣାପଡିବା ପରେ ତାଙ୍କୁ କୋଭିଡ କେୟାର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସି ନ ଥିଲା । ଶେଷରେ ଦୀର୍ଘ ୨ସପ୍ତାହ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଶୁକ୍ରବାର ପୂର୍ବାହ୍ନ ସାଢ଼େ ୫ଟାରେ କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଇବ ଥର୍ମାଲ ପ୍ରକଳ୍ପ ହସ୍‌ପିଟାଲର ମୁଖ୍ୟ ଚିକିତ୍ସକ ଡାକ୍ତର ବିଜୟଲାଲ ବିଶ୍ବାଳଙ୍କ ସୂତ୍ରରୁ ଜଣାପଡିଛି। ଏଭଳି ଦୁଃଖଦ ଖବର ଜଣାପଡିବା ପରେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଶ୍ରମିକ ମହଲରେ ଦାବି ହେଉଛି ।

Share