Categories: ଜାତୀୟ

ସେନାରେ ହୋଇପାରେ ଚୁକ୍ତିଭିତ୍ତିକ ନିଯୁକ୍ତି

ନୂଆଦିଲ୍ଲୀ,୭ା୪: ଭାରତୀୟ ସେନାରେ ଖୁବ୍‌ଶୀଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇପାରେ। ‘ଟୁର୍‌ ଅଫ୍‌ ଡ୍ୟୁଟି’ ନାମକ ଏକ ନୂଆ ଧାରାରେ ସଶସ୍ତ୍ର ବଳରେ ଯବାନଙ୍କୁ ନିଯୁକ୍ତି ଦିଆଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଯୁବପିଢ଼ିଙ୍କୁ ସେନାରେ ଠିକା ନିଯୁକ୍ତି ଦେଇ ରାଜକୋଷର ବୋଝ ହ୍ରାସ କରିବା ପାଇଁ ସରକାର ବିଚାର କରୁଥିବା ଏଥିରେ ଦର୍ଶାଯାଇଛି।
ସେନାରେ ସ୍ବଳ୍ପକାଳୀନ ଠିକା ନିଯୁକ୍ତି ଦେବା ନେଇ ଦୁଇବର୍ଷ ତଳେ ଚିନ୍ତା କରାଯାଇଥିଲା। ତଦନୁଯାୟୀ ଜଣେ ଭାରତୀୟ ନାଗରିକ ଚୁକ୍ତି ଅବଧି ମଧ୍ୟରେ କାର୍ଯ୍ୟ କରିବେ। ତାଙ୍କୁ ଆତଙ୍କବାଦ ନିରୋଧୀ ଅପରେଶନ, ଗୋଇନ୍ଦା ତଥ୍ୟ ସଂଗ୍ରହ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି ବିବିଧ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ତାଲିମ ଦିଆଯିବ। ଦୁଇବର୍ଷ ହେଲା କୋଭିଡ୍‌ ମହାମାରୀ ଯୋଗୁ ଯବାନଙ୍କ ନିଯୁକ୍ତି ହ୍ରାସ ପାଇଛି। ଫଳରେ ବର୍ତ୍ତମାନ ସ୍ଥଳସେନା, ବାୟୁସେନା ଓ ନୌସେନାରେ ୧,୨୫,୩୬୪ ପଦବୀ ଖାଲିପଡ଼ିଥିବା ଜଣାପଡ଼ିଛି। ଏଥିଲାଗି ‘ଟୁର୍‌ ଅଫ୍‌ ଡ୍ୟୁଟି’ ଧାରା ଆଣି ସର୍ବାଧିକ ୩ ବର୍ଷିଆ ନିଯୁକ୍ତି ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥିର କରିଛି। ଏପରି କରାଗଲେ ଦରମା, ଭତ୍ତା ଓ ପେନ୍‌ସନ ବାବଦକୁ ଦିଆଯାଉଥିବା ହଜାର ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ୨୦୨୦ରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଚିନ୍ତା କରିଥିଲେ। ତେବେ ଏହି ଯୋଜନା ସମ୍ପର୍କରେ ସେନା ପକ୍ଷରୁ ଅଦ୍ୟାବଧି କୌଣସି ସୂଚନା ଦିଆଯାଇନାହିଁ।

Share