ଡ.ସତ୍ୟନାରାୟଣ ମିଶ୍ର
ବିଶ୍ୱାସ ଓ ଉପଲବ୍ଧିରୁ ସୃଷ୍ଟି ହୋଇଥାଏ ପ୍ରତ୍ୟେକ ଜାତିର ଧର୍ମ, ଯାହାର ଏକ ନୀତି ନିୟମର ଶୃଙ୍ଖଳିତ ରଜୁରେ ବନ୍ଧାହୋଇଥାଏ ମଣିଷ। ଜନ୍ମ ହେଲେ ମୃତ୍ୟୁ ଓ ମୃତ୍ୟୁ ହେଲେ ଜନ୍ମ ହେଉଛି ଏକ ସନ୍ତୁଳିତ ବିଧି ବ୍ୟବସ୍ଥା ଓ ଧର୍ମଶାସ୍ତ୍ରର ବିଧାନ ଅନୁଯାୟୀ ମଣିଷ ମୃତ୍ୟୁ ହେଲେ ସ୍ବର୍ଗକୁ ଆରୋହଣ କରିଥାଏ ବା ସ୍ବର୍ଗବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ସ୍ବର୍ଗ ଏବଂ ନର୍କ, ପରବର୍ତ୍ତୀ ଜୀବନର ଦୁଇଟି ପରସ୍ପର ବିରୋଧୀ ଗନ୍ତବ୍ୟସ୍ଥଳ, ଯେଉଁଠାରେ ପ୍ରଥମଟି ସୁକର୍ମର ପୁରସ୍କାର ହୋଇଥିବାବେଳେ ଶେଷଟି କରୁଣ ଦଣ୍ଡ ଏବଂ ଯନ୍ତ୍ରଣାକୁ ଅନ୍ତର୍ଭୁକ୍ତ କରେ। ପୃଥିବୀରେ ବ୍ୟକ୍ତିର କାର୍ଯ୍ୟ ଏବଂ ଆଚରଣ ମୃତ୍ୟୁ ପରେ ସେମାନଙ୍କ ଆତ୍ମା ଗନ୍ତବ୍ୟସ୍ଥଳର ଭାଗ୍ୟ ନିର୍ଣ୍ଣୟ କରେ ଅର୍ଥାତ୍ ସ୍ବର୍ଗରେ ପ୍ରବେଶ କରିବା ପାଇଁ ଜଣକୁ ନ୍ୟାୟପୂର୍ଣ୍ଣ, ନୀତିପୂର୍ଣ୍ଣ ଏବଂ ଧାର୍ମିକ ଜୀବନଯାପନ କରିବାକୁ ପଡ଼ିଥାଏ। ଅପରପକ୍ଷେ ପାପ ଓ ଭୁଲ୍ରେ ପରିପୂର୍ଣ୍ଣ ଏକ ମୂଲ୍ୟହୀନ ଜୀବନ ବଞ୍ଚିବା ଦ୍ୱାରା ଦଣ୍ଡ ଭାବରେ ନର୍କକୁ ଯିବା ପାଇଁ ପଡ଼ିପାରେ ବୋଲି ବିଶ୍ୱାସ କରାଯାଏ। ହିନ୍ଦୁ ବ୍ରହ୍ମାଣ୍ଡ ବିଜ୍ଞାନରେ ସ୍ବର୍ଗ ହେଉଛି ୭ ଉଚ୍ଚ ଲୋକ ମଧ୍ୟରୁ ଏକ। ୭ ଲୋକ ହେଉଛି ଭୂଲୋକ, ଭୂଭଲୋକ, ସ୍ବର୍ଗଲୋକ, ଇନ୍ଦ୍ରଲୋକ, ଜନଲୋକ, ତପଲୋକ, ସତ୍ୟଲୋକ। ୭ ନିମ୍ନ ଜଗତ ହେଉଛି ଅତଳ, ଭୂତଳ, ସୁତଳ, ତଳାତଳ, ମହାତଳ, ରସାତଳ ଏବଂ ପାତାଳ। ଜୀବାତ୍ମାର ମୂଳ ଲକ୍ଷ୍ୟ ହେଉଛି ମୋକ୍ଷ। ୭ଟି ନିମ୍ନ ସ୍ଥାନ ତୁଳନାରେ ସ୍ବର୍ଗକୁ ଏକ ସର୍ବୋଚ୍ଚ ପବିତ୍ର ସ୍ଥାନ ଭାବରେ ବର୍ଣ୍ଣନା କରାଯାଏ।
ହିନ୍ଦୁ ବ୍ରହ୍ମାଣ୍ଡ ବିଜ୍ଞାନ ଅନୁଯାୟୀ ପାର୍ଥିବ ଲୋକ ଉପରେ ଅନ୍ୟାନ୍ୟ ଲୋକ ଅଛି। ଅନ୍ୟ କେତେକ ଲୋକ ହେଉଛି ସତ୍ୟଲୋକ (ବ୍ରହ୍ମଲୋକ), ତପଲୋକ, ଜନଲୋକ,ମହରଲୋକ,ସ୍ବର୍ଗଲୋକ, ଭୁଭର୍ଲୋକ, ଭୂ-ଲୋକ ଓ ଅତଳଲୋକ। ମାତ୍ର ସ୍ବର୍ଗ କେଉଁଠାରେ ଅଛି ଓ ସ୍ବର୍ଗର ପ୍ରକୃତ ସ୍ଥାନ ନିର୍ଣ୍ଣୟ କରାଯାଇପାରିବ ନାହିଁ। ସ୍ବର୍ଗାରୋହଣ ବା ସ୍ବର୍ଗ ସମ୍ବନ୍ଧୀୟ ଆଲୋଚନା ସେତେବେଳେ ହିଁ ହୋଇଥାଏ ଯେତେବେଳେ ମଣିଷର ମୃତ୍ୟୁ ହୋଇଥାଏ ବା ମୃତ୍ୟୁ ସମ୍ବନ୍ଧୀୟ ଆଲୋଚନା ହୋଇଥାଏ। ପ୍ରତ୍ୟେକ ଧର୍ମ ଓ ସମ୍ପ୍ରଦାୟରେ ମଣିଷର ମୃତ୍ୟୁ ପରେ ମୁଖ୍ୟତଃ ଦୁଇଟି ପ୍ରକ୍ରିୟାରେ ଉକ୍ତ ସ୍ଥୂଳ ଶରୀରକୁ ସତ୍କାର କରାଯାଇଥାଏ। ପ୍ରଥମଟି ଶରୀରକୁ ଅଗ୍ନିଦ୍ୱାରା ଦାହ କରାଯାଇଥାଏ ଓ ଦ୍ୱିତୀୟଟି ଶରୀରକୁ ମାଟିରେ ଯଥାବିଧି ପୋତି ଦିଆଯାଇଥାଏ। କିନ୍ତୁ ମଣିଷର ମୃତ୍ୟୁ ପରେ ମୃତ ବ୍ୟକ୍ତିର ଆତ୍ମା ଯାହା ନଶ୍ୱର ତାହା ସ୍ବର୍ଗକୁ ଯାଇଥାଏ ବୋଲି ସମସ୍ତେ ଆଲୋଚନା କରିଥାନ୍ତି। ସେଥିପାଇଁ ଯେକୌଣସି ବ୍ୟକ୍ତିର ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିର ନାମର ପୂର୍ବରୁ ସ୍ବର୍ଗତ ଦ୍ୱାରା ନାମର ଉପସ୍ଥାପନା କରାଯାଇଥାଏ। ତେବେ ଏଥିରୁ ପ୍ରତୀୟମାନ ହୋଇଥାଏ ଯେ ମନୁଷ୍ୟର ମୃତ୍ୟୁ ପରେ କ’ଣ ସମସ୍ତେ ସ୍ବର୍ଗକୁ ଯାଇଥାନ୍ତି ? ମଣିଷର ଜୀବଦ୍ଦଶା ମଧ୍ୟରେ ଯଦି ଜଣେ ଅନ୍ୟାୟ, ଅନୀତି, ବଳାତ୍କାର, ବ୍ୟଭିଚାର, ଲୁଣ୍ଠନ, ହତ୍ୟା ଆଦି ପାପକର୍ମ କରିଥାଏ ଓ ଉକ୍ତ ବ୍ୟକ୍ତି ମୃତ୍ୟୁ ପରେ ହୋଇଥାଏ ସ୍ବର୍ଗତ ଓ ଅନ୍ୟ ଏକ ବ୍ୟକ୍ତି ଜୀବଦ୍ଦଶା ମଧ୍ୟରେ କେବଳ ଦୟା, କରୁଣା, ନ୍ୟାୟ, ନୀତି, ନିୟମ ଓ ପୁଣ୍ୟ କର୍ମ କରିଥାଏ ତେବେ ମୃତ୍ୟୁ ପରେ ସେ ମଧ୍ୟ ହୋଇଥାଏ ସ୍ବର୍ଗତ। ଯଦି ସ୍ବର୍ଗତ ସମସ୍ତେ ତେବେ ସୁକର୍ମ ଓ କୁକର୍ମର ପ୍ରତିଫଳନ କେଉଁ ସ୍ଥାନରେ ନିହିତ ରହିବ ?
ଚତୁର୍ଧାମର ଅନ୍ୟତମ ଧାମ ପୁରୀଠାରେ ମଣିଷର ମୃତ୍ୟୁ ପରେ ଶବ ସତ୍କାର ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି ତାହା ସ୍ବର୍ଗଦାର। ବିଶ୍ୱାସ କରାଯାଏ ଯେ ମନୁଷ୍ୟ ଜୀବଦ୍ଦଶା ମଧ୍ୟରେ ଯେତେ କୁକର୍ମ ବା ସୁକର୍ମ କରିଥିଲେ ମଧ୍ୟ ଯଦି ଉକ୍ତ ସ୍ଥାନରେ ଶରୀର ସତ୍କାର ହୋଇଥାଏ, ତେବେ ଉକ୍ତ ଆତ୍ମା ସ୍ବର୍ଗକୁ ଯାଇଥାଏ। କାରଣ ଏହା ହେଉଛି ସ୍ବର୍ଗକୁ ଯିବା ପାଇଁ ଏକମାତ୍ର ଦ୍ୱାର। ତେବେ ପୃଥିବୀର ସମସ୍ତ ବ୍ୟକ୍ତି କର୍ମଫଳ ବିହୁନେ ଯଦି ସ୍ବର୍ଗତ, ତା’ହେଲେ ପୃଥିବୀ ଭଳି ସ୍ବର୍ଗରେ ମଧ୍ୟ ଭିଡ଼ ହୋଇଯିବ। ଯଦି ସମସ୍ତେ ସ୍ବର୍ଗତ ତେବେ ନର୍କଗାମୀ କିଏ ହୋଇଥାଏ ତାହା ଏକ ଅସମାହିତ ଚିନ୍ତା। ମାତ୍ର ସ୍ବର୍ଗରେ ଭିଡ଼ ହେବା ଯଦି ସତ୍ୟ ବା ସମସ୍ତ ମନୁଷ୍ୟ ମୃତ୍ୟୁ ପରେ ଯଦି ସ୍ବର୍ଗତ, ତେବେ ଏହା ଭ୍ରମାତ୍ମକ ନିଷ୍ପତ୍ତି ବୋଲି ସ୍ବୀକାର କରିବାକୁ ପଡ଼ିବ। ଆଜିର ସମାଜରେ ଅନେକ ମଣିଷ ଷଡ଼ରିପୁର ଅଧୀନ ହୋଇ ହିଂସା, ଅନ୍ୟାୟ, ଅନୀତି, ଲୁଣ୍ଠନ, ହତ୍ୟା, ବ୍ୟଭିଚାର ଆଦି କୁକର୍ମରେ ଲିପ୍ତ ରହି ଅସାଧୁ ଉପାୟରେ ଧନ ହଡ଼ପ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରି ଯେତେବେଳେ ମୃତ୍ୟୁ ହୋଇଥାଏ, ପ୍ରତିପତ୍ତିର ଆବାହନରେ ଉକ୍ତ ବ୍ୟକ୍ତିକୁ ତୋଷାମଦକାରୀମାନେ ସ୍ବର୍ଗତ ବୋଲି ଉଚ୍ଚାରଣ କରିଥାନ୍ତି। ଅନ୍ୟପକ୍ଷରେ ଜୀବଦ୍ଦଶା ମଧ୍ୟରେ ଅର୍ଥ, କ୍ଷମତା ଓ ପ୍ରତିପତ୍ତିର ଉଚ୍ଚାଟରେ ମଣିଷ ମଣିଷକୁ ଘୃଣା କରିଥାଏ ଓ ଭେଦଭାବର କୁତ୍ସିତ ଭ୍ରମରେ ମଣିଷ ମଣିଷକୁ ଚିହ୍ନିପାରି ନ ଥାଏ। ଦିନ ଦରିଦ୍ର ମଣିଷକୁ ଧନ କ୍ଷମତାର ଶିଖରରେ ଥିବା ମଣିଷ ଘୃଣା କରିଥାଏ। ଅନେକ କୁକର୍ମ କରି ମଧ୍ୟ ସୁରକ୍ଷା ବଳୟ ମଧ୍ୟରେ ସମାଜର ଅନ୍ୟମାନଙ୍କ ଅପେକ୍ଷା ଭିନ୍ନ ଆଡ଼ମ୍ବରପୂର୍ଣ୍ଣ ଜୀବନ ନିର୍ବାହ କରିଥାଏ, ମାତ୍ର ମୃତ୍ୟୁ ପରେ ଜଣେ ଦରିଦ୍ର, ନିଃସ୍ବ ଗୁଣୀ ପୁଣ୍ୟାତ୍ମା ମଣିଷକୁ ଯେଉଁ ଅଗ୍ନିରେ ଓ ଯେଉଁ ସଂସ୍କାର ବିଧିରେ ଦାହ କରାଯାଇଥାଏ ଧନ ଓ ପ୍ରତିପତ୍ତିର ଶିଖରରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ସେହି ଅଗ୍ନି ଓ ସଂସ୍କାରରେ ଦାହ କରାଯାଇଥାଏ ବା ସମାନ ପଦ୍ଧତିରେ ମାଟିର ଆବରଣରେ ଉଭୟ ମନୁଷ୍ୟଙ୍କୁ ପୋତିଦିଆଯାଇଥାଏ, ଯାହା ପରବର୍ତ୍ତୀ ସମୟରେ ଉଭୟେ ସ୍ବର୍ଗତ ହୋଇଥାନ୍ତି ବୋଲି ନାମିତ କରାଯାଏ। ଯେଉଁ ପୃଥିବୀରେ ମଣିଷ ମଣିଷକୁ ଧନ, କ୍ଷମତା, ପ୍ରତିପତ୍ତିର ଉଦ୍ଦାମରେ ଜଣେ ଜଣଙ୍କୁ ଚିହ୍ନିପାରି ନ ଥାଏ ଉକ୍ତ ବ୍ୟକ୍ତିମାନଙ୍କର ମୃତ୍ୟୁ ପରେ ଯେତେବେଳେ ସ୍ବର୍ଗତ ହୋଇଥାନ୍ତି ସେଠାରେ କ’ଣ ଉକ୍ତ ଭେଦଭାବ କରିଥାନ୍ତି। ସେଠାରେ କ’ଣ ଅହଂକାର, ଆଭିଜାତ୍ୟ ଓ ଆଡ଼ମ୍ବରପୂର୍ଣ୍ଣ ଚଞ୍ଚକତାର ସ୍ବାଦ ଥାଏ କିମ୍ବା ଉକ୍ତ ବ୍ୟକ୍ତି ମାନଙ୍କ ସ୍ଥାନ ଯେ ସ୍ବର୍ଗରେ ସ୍ଥିରୀକୃତ ଏହା କେବଳ ଭ୍ରମାତ୍ମକ ଉଦ୍ବେଳନ। ଯଦି ସ୍ବର୍ଗକୁ ଧନ, ପ୍ରତିପତ୍ତି, କ୍ଷମତା ଆଦି ଦ୍ୱାରା ସ୍ଥାନ ନିରୂପଣ କରାଯାଇ ପାରୁଥାନ୍ତା, ତେବେ ପୃଥିବୀର ବହୁ ଧନୀ ପ୍ରତିପତ୍ତିର ବ୍ୟକ୍ତିମାନେ ସ୍ବର୍ଗରେ ନିଜସ୍ବ ଅଟ୍ଟାଳିକା ନିର୍ମାଣ କରିସାରନ୍ତେଣି। ଧରା ବକ୍ଷରେ ଗର୍ବ, ଅହଂକାର, ଆତ୍ମବଡ଼ିମାର ତମସାଚ୍ଛନ୍ନ ବଳୟ ମଧ୍ୟରେ ମଣିଷର ମୃତ୍ୟୁ ପରେ ଯଦି ସ୍ବର୍ଗାଲୋକର ଆଲୋକରେ ଆଲୋକିତ ହୁଏ, ତେବେ ସେ ସେଠାରେ କେବଳ ଦେଖିଥାଏ ମର୍ତ୍ତ୍ୟଲୋକର ନିଜ ଦ୍ୱାରା କୃତକର୍ମ ଫଳର ନ୍ୟାୟ ଅନ୍ୟାୟର ନିର୍ବିବାଦୀୟ ବିଚାର। ତେଣୁ ସ୍ବର୍ଗରେ ଆସ୍ଥାନ କରିବାକୁ ହେଲେ ପ୍ରଥମେ ମର୍ତ୍ତ୍ୟଲୋକରେ ଉପଯୁକ୍ତ କର୍ମର ଆବଶ୍ୟକତା ରହିଛି।
ମୋ -୯୯୩୭୩୪୫୯୦୦