Categories: ଜାତୀୟ

ଉତ୍ତେଜକ ଟିଭି କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କର: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯।୧: ଲୋକଙ୍କୁ ହିଂସାକାଣ୍ଡ ଭିଆଇବା ପାଇଁ ଉସୁକାଉଥିବା ଟେଲିଭିଜନ କାର୍ଯ୍ୟକ୍ରମ ଓ ଖବରକୁ ସକ୍ରିୟ ଭାବେ ନିୟନ୍ତ୍ରଣ କରାଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏ ସମ୍ପର୍କିତ ଆଇନକୁ କଡ଼ାକଡ଼ି କରିବା ଲାଗି ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଛନ୍ତି। ଉସୁକାଇବାକୁ ରୋକିବା ଆଇନ ଶୃଙ୍ଖଳା ରକ୍ଷା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏନେଇ ସରକାର କିଛି କରୁ ନ ଥିବା ଅଦାଲତ ଗତବର୍ଷର କେତେକ ବିବାଦର ଶୁଣାଣି ବେଳେ କହିଛନ୍ତି।
ସ୍ବଚ୍ଛ ଓ ସତ୍ୟ ଖବର ପ୍ରକାଶରେ କୌଣସି ସମସ୍ୟା ନାହିଁ। ତେବେ ଅନ୍ୟମାନଙ୍କୁ ଉସୁକାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରି ପରିବେଷଣ କରାଯାଉଥିବା ଖବର ସମସ୍ୟା ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ କହିଛନ୍ତି। ସିଜେଆଇଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତବର୍ଷ ଦିଲ୍ଲୀରେ ତବଲିଘି ଜମାତ୍‌ ସମ୍ମିଳନୀର ଖବର ପରିବେଷଣକୁ ନେଇ ଦାଖଲ ପିଟିଶନର ଶୁଣାଣି କରି ସରକାର, ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ଏବଂ ବ୍ରଡ୍‌କାଷ୍ଟିଂ ଆସୋସିଏଶନକୁ ନୋଟିସ୍‌ ଜାରି କରିଛନ୍ତି। ଜାମିଆତ୍‌ ଉଲେମା-ଇ-ହିନ୍ଦ୍‌, ପିସ୍‌ ପାର୍ଟି ଓ ଅନ୍ୟମାନଙ୍କ ପକ୍ଷରୁ ପିଟିଶନ ଦାଏର ହୋଇଥିଲା। ତବଲିଘି ଜମାତ୍‌ ସମ୍ମିଳନୀ କୋଭିଡ୍‌ ହଟ୍‌ସ୍ପଟରେ ପରିଣତ ହୋଇଥିଲା। ଗଣମାଧ୍ୟମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାକୁ ସାମ୍ପ୍ରଦାୟିକ ରୂପ ଦେଇଥିଲେ ବୋଲି ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। କେତେକ ଘଟଣାରେ ପ୍ରସାରଣକୁ ବନ୍ଦ କରିଦିଆଯାଇଥିଲା ବୋଲି ସରକାର ଯୁକ୍ତି ଦର୍ଶାଇଥିଲେ। ପ୍ରଧାନ ବିଚାରପତି କହିଥିଲେ, ସତ୍ୟ ଏହା ଯେ ଲୋକଙ୍କୁ ଉସୁକାଇବା ଭଳି ପ୍ରଭାବ ଥିବା କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଓ ସରକାର ତାହା ବିରୋଧରେ କିଛି କରୁନାହାନ୍ତି। ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ହେବାକୁ ଇଣ୍ଟରନେଟକୁ ବନ୍ଦ କରିଦିଆଗଲା। ଚାଷୀଙ୍କ ଉପରେ ଫୋକସ୍‌ କରା ନ ଯାଇ ଇଣ୍ଟରନେଟ ବନ୍ଦ କରାଯାଉଛି। ସେହିଭଳି ସମସ୍ୟା ଯେକୌଣସି ସ୍ଥାନରେ ଘଟିପାରେ ବୋଲି ସିଜେଆଇ ବୋବ୍‌ଡେ କହିଥିଲେ। ସରକାର କେବୁଲ୍‌ ଟେଲିଭିଜନ ନେଟଓ୍ବର୍କ (ନିୟନ୍ତ୍ରଣ) ଆଇନରେ ସଂସ୍କାର ଆଣିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ।

Share