ବସ୍ତୁକୁ ନ ଛୁଇଁ ନିୟନ୍ତ୍ରଣ

ଓ୍ବାଶିଂଟନ୍‌,୮।୧୨ : ବସ୍ତୁକୁ ସ୍ପର୍ଶ ନ କରି ତାକୁ ନିଜ ନିୟନ୍ତ୍ରଣକୁ ଆଣିବା କେବଳ ଫିଲ୍ମ କିମ୍ବା ମ୍ୟାଜିକ୍‌ ଶୋ’ଗୁଡ଼ିକରେ ଦେଖିବାକୁ ମିଳେ। ଫିଲ୍ମରେ ପ୍ରଦର୍ଶିତ ସିନ୍‌ସବୁ କମ୍ପ୍ୟୁଟରାଇଜ୍‌ କରାଯାଇଥିବାବେଳେ ବିଭିନ୍ନ ପ୍ରକାର ଯାଦୁ ଦେଖାଇବା ପାଇଁ ମ୍ୟାଜିସିଆନ୍‌ଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ନେବାକୁ ପଡ଼ିଥାଏ। କିନ୍ତୁ ଏବେ ସତ ସତିକା ବିନା ସ୍ପର୍ଶରେ ବସ୍ତୁକୁ ସ୍ଥାନାନ୍ତର ବା ନିଜ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହେବ। ଆମେରିକାର ମିନେସୋଟା ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ମୁତାବକ, ଅଲ୍‌ଟ୍ରା ସାଉଣ୍ଡ୍‌ ଓ୍ବେଭ୍‌ ଜରିଆରେ ଯେକୌଣସି ବସ୍ତୁକୁ ନିୟନ୍ତ୍ରଣ କରାଯାଇ ପାରିବ। ଓପନ୍‌ ଆସେସ୍‌ ସାଇଣ୍ଟିଫିକ୍‌ ଜର୍ନାଲ୍‌ ନେଚର କମ୍ୟୁନିକେଶନ୍‌ରେ ଗବେଷଣା ସମ୍ବଳିତ ବିସ୍ତୃତ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ମିନେସୋଟା ୟୁନିଭର୍ସିଟି ଗବେଷକ ସାଉଣ୍ଡ ଏବଂ ଲାଇଟ ଓ୍ବେଭ୍‌ (ଶବ୍ଦ-ଆଲୋକ ତରଙ୍ଗ) ବ୍ୟବହାର କରି ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି, ଯାହାର ବ୍ୟବହାର ଫଳରେ ବସ୍ତୁକୁ ନିୟନ୍ତ୍ରଣକୁ ଅଣାଯାଇପାରିବ। ବଡ଼ ବଡ଼ କମ୍ପାନୀ ରୋବୋଟିକ୍‌ ମେଥଡ୍‌ ପ୍ରୟୋଗ କରି ଅଧିକାଂଶ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଅଲଟ୍ରା ସାଉଣ୍ଡ ଓ୍ବେଭ୍‌ ମେଥଡ୍‌ ଜରିଆରେ ମଧ୍ୟ ଅନେକ କାମ କରାଯାଇପାରିବ।

ଏଥିପାଇଁ ହାତର ବ୍ୟବହାର ଅନାବଶ୍ୟକ। ଯେଉଁ ବସ୍ତୁର ଆୟତନ ସାଉଣ୍ଡ ଏବଂ ଲାଇଟ୍‌ ଓ୍ବେଭ୍‌ ତୁଳନାରେ କମ୍‌ ତାକୁ ସହଜରେ ନିୟନ୍ତ୍ରଣ କରାଯିବ ବୋଲି ଗବେଷଣାରୁ ଜଣାପଡ଼ିଛି। ମେଟାମାଟେରିଆଲ ଫିଜିକ୍ସ ବ୍ୟବହାର ଦ୍ୱାରା ବିଶାଳକାୟ ବସ୍ତୁକୁ ସ୍ଥାନାନ୍ତର କରିବା ସମ୍ଭବ।

ଶବ୍ଦ କିମ୍ବା ଆଲୋକ ତରଙ୍ଗକୁ ବ୍ୟବହାର କରି କୌଣସି ବସ୍ତୁ ଉପରେ ମେଟାମାଟେରିଆଲ ଫିଜିକ୍ସ ପ୍ରୟୋଗ କଲେ ତାହା ସ୍ବତଃ ସ୍ଥାନାନ୍ତରିତ ହୋଇଥାଏ। ଯେକୌଣସି ବସ୍ତୁର ସର୍‌ଫେସ୍‌ (ବାହାରପାର୍ଶ୍ୱ)କୁ ମେଟାସରଫେସ୍‌ରେ ପରିଣତ କରିବା ଦ୍ୱାରା ସେହି ବସ୍ତୁକୁ ସହଜରେ ନିୟନ୍ତ୍ରଣକୁ ଅଣାଯାଇପାରିବ ବୋଲି ମିନେସୋଟା ୟୁନିଭର୍ସିଟିର ମେକାନିକାଲ ଇଞ୍ଜିନିୟରିଂ ପ୍ରଫେସର ମେଞ୍ଜାମିନ ମହଗ୍‌ କହିଛନ୍ତି। ବିରାଟରୁ ଅତି ବିଶାଳ ବସ୍ତୁକୁ ଯେପରି ଏହି ମେଥଡ୍‌ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ଗବେଷକମାନେ ଅଧ୍ୟୟନ ଜାରି ରଖିଛନ୍ତି।

Share