ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ ନେଇ ରେଡିଓ, ପୋଡ୍‌କାଷ୍ଟ ଏବଂ ମ୍ୟୁଜିକ୍‌ ଭିଡିଓଠାରୁ ବୃତ୍ତଚିତ୍ର ସିନେମା ପର୍ଯ୍ୟନ୍ତ ସେ ନିଜ ବିଚକ୍ଷଣତାର ପ୍ରମାଣ ଦେଇଛନ୍ତି। ପରଞ୍ଜୟ ଏକାଧାରରେ ଜଣେ ଲେଖକ, ବକ୍ତା, ଉପସ୍ଥାପକ, ଶିକ୍ଷକ, ବିଶ୍ଳେଷକ, ପ୍ରଯୋଜକ ଓ ପରାମର୍ଶଦାତା। ତାଙ୍କର ଅନେକ ଲେଖା ଇଂଲିଶ, ବଙ୍ଗଳା ଓ ହିନ୍ଦୀ ପତ୍ରପତ୍ରିକାରେ ପ୍ରକାଶ ପାଇଛି। ଭୁବନେଶ୍ୱରରେ ସୋମବାର ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମର ‘ମିଡିଆ ଲଜ୍‌, ନ୍ୟୁ କ୍ରିମିନାଲ ଲଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜେସ୍‌ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଜମ୍‌’ ଶୀର୍ଷକ ଅଧିବେଶନରେ ଭାଗନେବାକୁ ଆସିଥିବାବେଳେ ଖବରଦାତା ଅରିନ୍ଦମ ଗାଙ୍ଗୁଲି ତାଙ୍କୁ ଭେଟିଥିଲେ।

ଆପଣଙ୍କ କ୍ୟାରିୟର ଆରମ୍ଭର ସାମ୍ବାଦିକତା ଓ ବର୍ତ୍ତମାନର ସାମ୍ବାଦିକା ମଧ୍ୟରେ କି ପ୍ରଭେଦ ଦେଖୁଛନ୍ତି?
ଦୀର୍ଘ ୪୭ ବର୍ଷ ଧରି ମୁଁ ସାମ୍ବାଦିକତା କରିଆସୁଛି। ଜରୁରୀକାଳୀନ ପରିସ୍ଥତି, ଘରୋଇ ଟେଲିଭିଜନ ମିଡିଆର ଅଭିବୃଦ୍ଧି ଏବଂ ଭାରତ ତଥା ବିଶ୍ୱରେ ଗଣମାଧ୍ୟମର ଚରିତ୍ରକୁ ବଦଳାଇଦେଇଥିବା ଇଣ୍ଟରନେଟର ବିକାଶକୁ ମୁଁ ଦେଖିଛି। ଛାପା ହେଉ କି ଦୃଶ୍ୟଶ୍ରାବ୍ୟ ମାଧ୍ୟମ ସବୁଠି ଲୋକଙ୍କ ସୂଚନା ଆହରଣରେ ନାଟକୀୟ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳିଛି। ଭାରତର ଜନସଂଖ୍ୟା ୧୪୦ କୋଟି ହୋଇଥିବାବେଳେ ସମାନ ସଂଖ୍ୟକ ଲୋକଙ୍କ ନିକଟରେ ରହିଥିବା ଇଣ୍ଟରନେଟ୍‌ ଉପଲବ୍ଧତା ସେମାନଙ୍କୁ ପ୍ରଭାବିତ କରୁଛି। କିନ୍ତୁ ଲୋକଙ୍କ ଉପରେ ଇଣ୍ଟରନେଟ୍‌ର ଏଭଳି ପ୍ରଭାବ ମିଥ୍ୟାତଥ୍ୟ ଓ ଘୃଣା ମନ୍ତବ୍ୟକୁ ମଧ୍ୟ ବ୍ୟାପକ କରିଛି। ନିକଟରେ ଘଟିଥିବା ସବୁ ଗୋଷ୍ଠୀ ସଂଘର୍ଷ ଓ ଭିଡ଼ହିଂସାରେ ହ୍ବାଟ୍ସଆପ୍‌ ମେସେଜ୍‌ର ଭୂମିକା ରହିଛି।
ବାସ୍ତବ ସାମ୍ବାଦିକତା ଓ ଫେକ୍‌ ଜର୍ନାଲିଜମ୍‌ ମଧ୍ୟରେ ଫରକ୍‌ ଅସ୍ପଷ୍ଟ ହୋଇଯାଇଥିବା ଆପଣ ମନେକରନ୍ତି କି?
ହଁ, ବହୁମାତ୍ରାରେ। ବର୍ତ୍ତମାନ ଦେଶର ଗଣମାଧ୍ୟମକୁ ଅନେକ ବଡ଼ ଶିଳ୍ପପତି ନିୟନ୍ତ୍ରଣ କରୁଛନ୍ତି। କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ କରିବା ଓ ସମାଜକୁ ଦର୍ପଣ ଦେଖାଇବା ହେଉଛି ଗଣମାଧ୍ୟମର କାର୍ଯ୍ୟ। ଏହା ପରିବର୍ତ୍ତେ ଗଣମାଧ୍ୟମ ବିରୋଧୀଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବିନା ଲେଖାରେ ଗୋଟିଏ ହେଲେ ଖବରଦାତା ସମ୍ବିଳନୀ କରିନାହାନ୍ତି। ସେ ଅଳ୍ପ କେତେଜଣ ବଛା ବଛା ଲୋକଙ୍କ ଦ୍ୱାରା ସାକ୍ଷାତ୍‌କାର ବେଳେ ଉତ୍ତର ଦେବାକୁ ଉଚିତ ମଣିଛନ୍ତି। ଦେଶର ଜଣେ ପ୍ରଧାନମନ୍ତ୍ରୀ ଯଦି ଗଣମାଧ୍ୟମ ସହ ଏପରି ବ୍ୟବହାର କରୁଛନ୍ତି, ତେବେ ଆପଣ କ’ଣ ଆଶା କରିବା ଉଚିତ। ଅଳ୍ପ କିଛି ମିଡିଆ ହାଉସ୍‌ ସରକାରଙ୍କୁ ସମାଲୋଚନା କରିପାରୁଛନ୍ତି।
ଗଣମାଧ୍ୟମର ସ୍ବାଧୀନତାକୁ କେତେ ରୋକାଯାଇଛି?
ବର୍ତ୍ତମାନର ଆଇନ ଓ ନିୟମଗୁଡ଼ିକୁ ଉଠୁଥିବା ସ୍ବରକୁ ଚପାଇଦେବା ପାଇଁ ବ୍ୟବହାର କରାଯାଉଛି। ନିୟମଗୁଡ଼ିକୁ ଡିଜିଟାଲ ପ୍ରିଭେସି, ପ୍ରେସ୍‌, ପୁସ୍ତକ ପ୍ରକାଶନ, ପ୍ରସାରଣ ଆଦି ଉପରେ ଲଦାଯାଉଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନକୁ ଯେଭଳି ପ୍ରାଧାନ୍ୟ ମିଳିବା କଥା ସେଭଳି ମିଳୁନାହିଁ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(ଏ) ଦେଶର ପ୍ରତ୍ୟେକ ନାଗରିକଙ୍କୁ ଅଭିବ୍ୟକ୍ତର ସ୍ବାଧୀନତା ଦେଇଛି। ଗଣମାଧ୍ୟମ ସେମାନଙ୍କ ଅଧିକାରକୁ ଉଦ୍ଧୃତ କରି ଅଭିବ୍ୟକ୍ତି ପରିପ୍ରକାଶ କରିଥାଏ। ତେବେ କ୍ଷମତାରେ ଥିବା ଲୋକେ ଆଇନର ଦୁରୁପଯୋଗ କରି ସାମ୍ବାଦିକମାନଙ୍କୁ ଅସହାୟ କରିଦେଉଛନ୍ତି, ଯାହାକି ଗଣମାଧ୍ୟମ ପାଇଁ ଆଦୌ ଶୁଭଙ୍କର ନୁହେଁ।

Share