ବିବାଦରେ ଉଚ୍ଛେଦ ପ୍ରକ୍ରିୟା ଶେଷ

ସମ୍ବଲପୁର,୧୧ା୪(ବ୍ୟୁରୋ): ସମ୍ବଲପୁର ସମଲେଇ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ସମଲେଇ ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାରେ ସମଲେଇ ମନ୍ଦିର ପାର୍ଶ୍ୱରେ ଥିବା ଘୁନ୍‌ଘୁଟିପଡ଼ା, କମଳିବଜାର ଆଦି ପଡ଼ାର ୧୯୦ରୁ ଊର୍ଦ୍ଧ୍ୱ ପରିବାର ବିସ୍ଥାପିତ ହୋଇଛନ୍ତି। ଜମି ଅଧିଗ୍ରହଣ କରିବା ଏସ୍‌ଏମ୍‌ସି (ସମ୍ବଲପୁର ମହାନଗର ନିଗମ) ପାଇଁ କାଠିକର ପାଠ ହୋଇଥିଲା। ହେଲେ ପ୍ରାୟ ଦେଢ଼ବର୍ଷ ପରେ ସୋମବାର ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି। ଅଧିକୃତ ଜମିକୁ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଏସ୍‌ଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଏବେ ମଧ୍ୟ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି। ଏଥିପାଇଁ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ସମଲେଇ ଯୋଜନା ଉଚ୍ଛେଦ ପ୍ରକ୍ରିୟା ୨୦୨୧ ଏପ୍ରିଲରୁ ଆରମ୍ଭ ହୋଇଥିଲା। ସେ ସମୟରେ ବିଭିନ୍ନ ପଡ଼ାର ବିସ୍ଥାପିତ ପରିବାର ଏହାକୁ ବିରୋଧକରି ଜିଲାପାଳଙ୍କ ଅଫିସ ଘେରାଉ ସହ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ପ୍ରଶାସନ ବାରମ୍ବାର ଆଲୋଚନାକରି କେତେକ ପରିବାରକୁ ବୁଝାଇବାରେ ସଫଳ ହୋଇଥିଲା। ହେଲେ କେତେକ ପରିବାରକୁ ବଳପୂର୍ବକ ପୋଲିସ ଲଗାଇ ବିସ୍ଥାପିତ କରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ଏହି କାର୍ଯ୍ୟ ଶେଷ ହୋଇଛି। ଏବେ ଠିକାସଂସ୍ଥା ଧାର୍ଯ୍ୟ ସମୟ ଭିତରେ କାମ ସମ୍ପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ସମଲେଇ ମନ୍ଦିର ଗସ୍ତକରି ଏହି ଯୋଜନା ଘୋଷଣା କରିଥିଲେ। କିଛିଦିନ ପରେ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଠିକାସଂସ୍ଥା ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛି। ଏହି ଯୋଜନାରେ ମନ୍ଦିର ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ସୁବିଧା, ପ୍ରବେଶ ଦ୍ୱାର, ରିଭର ପଏଣ୍ଟ ଉନ୍ନତି, ୱାଚ୍‌ଟାୱାର, ପାର୍କ, ଭୋଗଘର, ମଣ୍ଡପ ଆଦି ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ ହେବ। ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି, ଉଚ୍ଛେଦ ତାଲିକାରେ ଥିବା ସମସ୍ତ ଘର ଭାଙ୍ଗି ଦିଆଯାଇଛି। ଜମି ହସ୍ତାନ୍ତର ହୋଇଥିବାରୁ ଏବେ କମ୍ପାନୀ ସୁବିଧାରେ କାମ କରିପାରିବ। କ୍ଷତିପୂରଣ ପାଇଁ ଯାହା ବିବାଦୀୟ ରହିଛି ଭୂଅର୍ଜନ ବିଭାଗ ଶୀଘ୍ର ସମାଧାନ କରିଦେବ ବୋଲି ସେ କହିଥିଲେ।

Share