ଓ୍ବାଶିଂଟନ୍‌ ପୋଷ୍ଟ୍‌ରେ ବିବାଦୀୟ କାର୍ଟୁନ ‘ହମାସ୍‌’

ଓ୍ବାଶିଂଟନ୍‌,୧୦ା୧୧:ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବ୍ୟଙ୍ଗଚିତ୍ର କରି ‘ଗାର୍ଡିଆନ୍‌’ର ସବୁଠୁ ପୁରୁଣା କାର୍ଟୁନିଷ୍ଟ ଚାକିରିରୁ ବିଦାହେବାର କିଛି ସପ୍ତାହ ପରେ ପାଶ୍ଚାତ୍ୟର ଆଉ ଏକ ଖବରକାଗଜରେ ପ୍ରକାଶିତ ଏକ କାର୍ଟୁନ୍‌କୁ ନେଇ ଝଡ଼ ସୃଷ୍ଟି ହୋଇଛି। ଆମେରିକୀୟ ଦୈନିକ ‘ଓ୍ବାଶିଂଟନ୍‌ ପୋଷ୍ଟ୍‌’ର ଓପିନିୟନ୍‌ ପେଜ୍‌ରେ ଗୁରୁବାର ଏକ କାର୍ଟୁନ୍‌ରେ ପାଲେଷ୍ଟିନୀୟ ଓ ଆରବୀୟମାନଙ୍କୁ ଭୁଲ୍‌ ଭାବେ ଚିତ୍ରଣ କରାଯାଇଛି। ହ୍ୟୁମାନ୍‌ ଶିଲ୍ଡ (ମାନବ ଢାଲ) ଶୀର୍ଷକ ଉକ୍ତ ବ୍ୟଙ୍ଗଚିତ୍ରରେ କଳାରଙ୍ଗର ସୁଟ୍‌ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କ ଉପରେ ୪ ଜଣ ପିଲା ଚଢ଼ିଛନ୍ତି। ତାଙ୍କ ପଛରେ ଜଣେ ଆତଙ୍କିତ ମହିଳା ଲୁଚିଛନ୍ତି। ବ୍ୟକ୍ତିଙ୍କ ସୁଟ୍‌ରେ ଇଂଲିଶରେ ଲେଖାଅଛି ‘ହମାସ୍‌’। ସେ କହୁଛନ୍ତି, ନାଗରିକଙ୍କୁ ଆକ୍ରମଣ କରିବାକୁ ଇସ୍ରାଏଲ ସାହସ କଲା କିପରି।
ଦୁଇଥର ପୁଲିଜର ପୁରସ୍କାର ପାଇଥିବା କାର୍ଟୁନିଷ୍ଟ ମିଖାଏଲ ରାମିରେଜଙ୍କ ଦ୍ୱାରା ଅଙ୍କିତ ଏହି ବ୍ୟଙ୍ଗଚିତ୍ରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜର୍ନାଲିଷ୍ଟ, ଶିକ୍ଷାବିତ୍‌ ଓ ନିୟମିତ ପାଠକମାନେ ଏହାକୁ ମୁସଲିମ୍‌ ବିରୋଧୀ, ବୈଷମ୍ୟବାଦୀ ଓ ନକାରାତ୍ମକ କହି ନିନ୍ଦା କରିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଓ୍ବାଶିଂଟନ୍‌ ପୋଷ୍ଟ ଓପିନିୟନ୍‌ ଏଡିଟର ଡାଭିଡ୍‌ ଶିପ୍ଲେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି।

Share