Categories: ଜାତୀୟ

କ୍ଷମା ମାଗିଲେ ନୁପୁର

କାନପୁର,୫।୬: ଭାଜପା ନେତ୍ରୀ ନୁପୁର ଶର୍ମାଙ୍କୁ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ମହଙ୍ଗା ପଡିଛି। ରବିବାର ଦଳର ହାଇକକାଣ୍ଡ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳୀୟ କାର୍ଯ୍ୟାନୁଷ୍ଠାନର କିଛି ଘଣ୍ଟା ପରେ ନୁପୁର ନିଜ ଭୁଲ ସ୍ବୀକାର କରିଛନ୍ତି। ମହମ୍ମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ସେ ଫେରାଇ ନେଉଥିବା କହିଛନ୍ତି। ଏନେଇ ନୁପୁର ତାଙ୍କ ଟୁଇଟର୍‌ରେ ସେ ଲେଖିଛନ୍ତି ଯେ, ଯଦି ମୋର ମନ୍ତବ୍ୟ କାହା ଧାର୍ମିକ ଭାବନାକୁ ଆଘାତ ଦେଇଛି ସେଥିପାଇଁ ମୁଁ ଦୁଃଖିତ। ମୁଁ ନମ୍ରତାର ସହ ମୋର ମନ୍ତବ୍ୟକୁ ଫେରାଇ ନେଉଛି। କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ମୁଁ ଗତ କିଛି ଦିନ ହେବ ଏକ ଟିଭି ଡିବେଟରେ ଭାଗ ନେଇ ଆସୁଥିଲି। ଏଠାରେ ଆମ ମହାଦେବଙ୍କୁ ଲଗାତାର ଅପମାନିତ ଏବଂ ଅସମ୍ମାନ କରାଯାଇ ଆସୁଥିଲା। ବିତର୍କରେ ଜ୍ଞାନବାପି ମସଜିଦରେ ଠାବ ହୋଇଥିବା ଶିବ ଲିଙ୍ଗ ନୁହେଁ, ଏହା ଏକ ଫାଉଣ୍ଟେନ ବୋଲି କହି ଥଟ୍ଟା ପରିହାସ କରାଯାଉଥିଲା। ମହାଦେବଙ୍କ ପ୍ରତି ଅପମାନକୁ ମୁଁ ସହ୍ୟ କରିପାରି ନ ଥିଲି। ତେଣୁ ଏହାର ପ୍ରତିକ୍ରିୟାରେ ମୁଁ ମଧ୍ୟ କିଛି କହିଥିଲି। ଯଦି ମୋର ମନ୍ତବ୍ୟ କାହାକୁ ଆଘାତ ପହଞ୍ଚାଇ ଥାଏ ତେବେ ମୁଁ କ୍ଷମା ମାଗୁଛି।
ସୂଚନାଯୋଗ୍ୟ, ନୁପୁରଙ୍କ ସହ ଦିଲ୍ଲୀ ଭାଜପାର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏକ ଟିଭି ଡିବେଟରେ ନୁପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେଙ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ନୁପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ ହୋଇଥିଲା । ଫଳରେ ଉଭୟ ଗୋଷ୍ଠୀର ୪୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

Share