Categories: ଜାତୀୟ

ମହିଳା ଆୟୋଗ ସଦସ୍ୟଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନଙ୍କୁ ମୋବାଇଲ୍‌ ଦେବା ଉଚିତ୍‌ ନୁହେଁ

ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗ ଶୁଣିବାବେଳେ ଗଣମାଧ୍ୟମ ଆଗରେ ଝିଅମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଲଗାତାର ଝିଅମାନଙ୍କ ସହିତ ଘଟୁଥିବା ଘଟଣାଗୁଡ଼ିକ ପାଇଁ ମୋବାଇଲରେ କଥାବାର୍ତ୍ତା କରିବା ଏବଂ ଝିଅମାନଙ୍କର ମା’ ଏବଂ ପରିବାର ଦାୟୀ ବୋଲି କହିଛନ୍ତି। ମୀନା କୁମାରୀ କହିଛନ୍ତି ଯେ, ସମାଜରେ ଏଭଳି ମାମଲା ବନ୍ଦ ହେଉନାହିଁ। ତେଣୁ ପରିବାର ଲୋକେ ନିଜ ଝିଅ କୁଆଡେ ଯାଉଛି, ସେ କ’ଣ କରୁଛି, ସେ କେଉଁ ପୁଅ ସହିତ ବୁଲୁଛି କି କଥାବାର୍ତ୍ତା କରୁଛି, ତା’ ମୋବାଇଲକୁ ମଧ୍ୟ ଦେଖିବାକୁ ପଡିବ। ଝିଅମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥାବାର୍ତ୍ତା କରନ୍ତି। ପରିସ୍ଥିତି ଏପରି ହୁଏ ଯେ, ସେ ଯେଉଁ ପୁଅ ସହ କଥା ହେଉଛନ୍ତି ସେ ତାଙ୍କ ସହ ଘର ଛାଡି ପଳାନ୍ତି। ପରେ ଝିଅମାନଙ୍କ ସହ ବିଭିନ୍ନ ଘଟଣା ଘଟେ। ତେଣୁ ମୋର ନିବେଦନ ହେଉଛି ପରିବାର ସଦସ୍ୟମାନେ ନିଜ ଝିଅମାନଙ୍କୁ ମୋବାଇଲ ଦେବା ଉଚିତ୍‌ ନୁହେଁ, ଯଦି ସେମାନେ ଦେଉଛନ୍ତି, ତେବେ ସେମାନଙ୍କ ଉପରେ ନଜର ରଖନ୍ତୁ। ସର୍ବପ୍ରଥମେ, ମୁଁ ସେହି ମା’ମାନଙ୍କୁ ସେମାନଙ୍କର ଝିଅମାନଙ୍କର ଯତ୍ନ ନେବାକୁ କହୁଛି, ଯେଉଁ ମା’ଙ୍କ ଅସାବଧାନତା ହେତୁ ଏହି ସବୁ ଘଟେ ।

Share