ଆପତ୍ତିଜନକ ଫଟୋ, ଟିକସ ଚୋରି, ନିଶା ସେବନ…ବାଇଡେନ୍‌ଙ୍କ ଅଡ଼ୁଆ ବଢ଼ାଇଛି ପୁଅ ହଣ୍ଟରଙ୍କ ବିବାଦ

ଓ୍ବାଶିଂଟନ,୧୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ବାଇଡେନ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ଲାଗି ମଞ୍ଜୁରୀ ଦିଆଯାଇଛି। ଏହାର କାରଣ ହେଉଛନ୍ତି ହଣ୍ଟର ବାଇଡେନ୍‌। ୫୩ ବର୍ଷୀୟ ହଣ୍ଟର ଅନେକ ବିବାଦରେ ଫସିଛନ୍ତି। ତାଙ୍କ ଉପରେ ଡ୍ରଗ୍ସ ସେବନ ଏବଂ ଟିକସ ଫାଙ୍କିବା ଭଳି ଅଭିଯୋଗ ହୋଇଛି। ଜୁନ୍‌ରେ ତାଙ୍କ ପାଖରେ ବେଆଇନ ଅସ୍ତ୍ରଶସ୍ତ୍ର ଥିବା ଜଣାପଡ଼ିଥିଲା। ଏପରିକିକ ଛାଡ଼ପତ୍ର ପରେ ପତ୍ନୀ କ୍ୟାଥରିନ ମଧ୍ୟ ତାଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ, ଯାହାକୁ ନେଇ ପରିସ୍ଥିତି ଅଧିକ ଖରାପ ହୋଇଛି।

ଆମେରିକାର ଓ୍ବିଲମିଙ୍ଗଟନ୍‌ ସହରରେ ଜନ୍ମଗ୍ରହଣ କରିଥିବା ହଣ୍ଟର ୨୦୧୫ରେ ବଡ଼ଭାଇଙ୍କୁ ହରାଇଥିଲେ। ସେବେଠାରୁ ସେ ନିଶା ସେବନର ମାତ୍ରାକୁ ବଢ଼ାଇଦେଇଛନ୍ତି। ସେଥିରୁ ମୁକୁଳିବା ଲାଗି ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ହେଲେ କିଛି ଲୋକ ତାଙ୍କ ଚିତ୍ରକୁ କୋଟି କୋଟି ଟଙ୍କାରେ କିଣିବା ପରେ ବିବାଦ ଦେଖାଦେଇଥିଲା। ବିରୋଧୀମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

୨୦୧୩ରେ ସେ ଆମେରିକାର ନୌସେନାରେ ଯୋଗ ଦେଇଥିଲେ। ହେଲେ ପ୍ରଥମ ଦିନରୁ କୋକେନ ନେଇ ଧରାପଡ଼ି ପଦବୀ ହରାଇଥିଲେ। ୨୦୨୦ରେ ତାଙ୍କ ଲାପଟପ୍‌ରୁ କିଛି ବ୍ୟକ୍ତିଗତ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ସଂସଦରେ ବିରୋଧୀଦଳ ନେତାମାନେ ଉପସ୍ଥାପନ କରିଥିଲେ। ସେଥିରେ ହଣ୍ଟର ଏବଂ ତାଙ୍କ ସହାୟକଙ୍କ ଆପତ୍ତିଜନକ ଫଟୋ ରହିଥିଲା।

କେବଳ ଏତିକି ନୁହେଁ ଚାଇନାର ଇକ୍ୱିଟି କମ୍ପାନୀ ବିଏଚ୍‌ଆର୍‌ ଏବଂ ୟୁକ୍ରେନ୍‌ର ଏନର୍ଜି କମ୍ପାନୀ ବୁରିସମା ହୋଲଡିଂରୁ ବେଆଇନ ଭାବେ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୟୁକ୍ରେନ୍‌ର ବରିଷ୍ଠ ଓକିଲ ବିକାଶ ଶୋକିନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏସବୁ କରିବା ଲାଗି ବାଇଡେନଙ୍କ ପରିବାର ଟଙ୍କା ନେଇଥିବା ବିରୋଧୀ ନେତାମାନେ ଅଭିଯୋଗ କରିଛନ୍ତି।

Share