ମା’ ହେବାରୁ ବିବାଦ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପାଓ୍ବାର କପୁଲ କୁହାଯାଉଥିବା ନୟନତାରା (ଡିଆନା ମାରିଅମ କୁରିଆନ) ଓ ବିଘ୍ନେଶ ରବିବାର ଯମଜ ସନ୍ତାନଙ୍କ ଅଭିଭାବକ ହୋଇଛନ୍ତି। ବିବାହର ୪ ମାସ ପରେ ଦୁହେଁ ଏତେବଡ଼ ଦାୟିତ୍ୱ ପାଇବା ପରେ ବେଶ୍‌ ଖୁସିଥିବାବେଳେ ତାଙ୍କ ଫ୍ୟାନ୍‌ ଫଲୋୟର୍ସମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇବାରେ ହେଳା କରି ନାହାନ୍ତି। ତେବେ ନୟନତାରାଙ୍କୁ ଖୁସି ସହିତ ଏବେ ବଡ଼ ବିବାଦର ସାମ୍ନା କରିବାକୁ ପଡ଼ିଛି। ସରୋଗେସି ଜରିଆରେ ଦୁହେଁ ସନ୍ତାନଙ୍କ ଅଭିଭାବକ ହେବା ନେଇ କୌଣସି ବିଧିବଦ୍ଧ ଘୋଷଣା କରି ନ ଥିଲେ ହେଁ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସରୋଗେସି ଲାଗି ଦେଶରେ ପ୍ରଣୟନ ଆଇନ ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ତଦନ୍ତ କରାଯିବ ବୋଲି ସୋମବାର ତାମିଲନାଡୁ ସ୍ବାସ୍ଥ୍ୟମନ୍ତ୍ରୀ ମା ଶୁଭ୍ରମନିଆନ କହିଛନ୍ତି। ଆଇନ ଅନୁସାରେ ଯେଉଁ ମହିଳାଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୩୬ ବର୍ଷରୁ କମ୍‌ ସେହିମାନେ ଗର୍ଭଧାରଣର ଏହି ବିକଳ୍ପ ପନ୍ଥାକୁ ଆପଣାଇ ପାରିବେ। ଏ ନେଇ ମେଡିକାଲ ସେବା ନିର୍ଦ୍ଦେଶାଳୟକୁ ମଧ୍ୟ ଘଟଣାର ତଦନ୍ତ କରିବା ପାଇଁ କୁହାଯାଇଛି। ଚଳିତବର୍ଷ ଜାନୁୟାରୀ ୨୫ରେ ପ୍ରଣୟନ ହୋଇଥିବା ସରୋଗେସି ରେଗୁଲେଶନ୍‌ ବିଲ୍‌ ଅନୁସାରେ ଭାରତରେ କମର୍ସିଆଲ ସରୋଗେସି ଅର୍ଥାତ୍‌ ବ୍ୟବସାୟ ଉଦ୍ଦେଶ୍ୟରେ ଗର୍ଭଧାରଣ ନିଷିଦ୍ଧ।

Share