Categories: ଜାତୀୟ

ୟୁସିସି ନେଇ ଭାଜପା ସହଯୋଗୀଙ୍କ ମଧ୍ୟରେ ଦ୍ୱନ୍ଦ, କେନ୍ଦ୍ରର ତରବରିଆ ଭାବ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ,୪।୭ : ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭାଜପା ଚାହୁଁଛି। କିନ୍ତୁ ଆଦିବାସୀ ପ୍ରସଙ୍ଗରେ ୟୁସିସି ବିଲକୁ ବିରୋଧ କରୁଥିବା ବିରୋଧୀ ଦଳ ସହିତ ଭାଜପାର ନିଜସ୍ବ ସହଯୋଗୀ ଦଳଙ୍କ ମଧ୍ୟରେ ଅନେକ ଆପତ୍ତି ରହିଛି। ୟୁସିସି ପ୍ରସଙ୍ଗରେ ସୋମବାର ସଂସଦୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୋଟ ୩୧ ଟି ଦଳ ମଧ୍ୟରୁ କେବଳ ୧୭ ଟି ଦଳର ଏମପି ଏଥିରେ ଭାଗ ନେଇଥିଲେ। ସୂତ୍ରରୁ ପ୍ରକାଶ , ଏହି ସଭାରେ ଅଧ୍ୟକ୍ଷତା କରୁଥିବା ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ଆଦିବାସୀ ଓ ଜନଜାତିଙ୍କୁ ଏଥିରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଭାଜପାର ଆଭିମୁଖ୍ୟରେ ଏହି ପରିବର୍ତ୍ତନ ହେବାର କାରଣ ହେଉଛି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏହାର ସହଯୋଗୀ ଅଛନ୍ତି।

ବାସ୍ତବରେ, ନାଗାଲାଣ୍ଡରେ ଭାଜପାର ସହଯୋଗୀ ନ୍ୟାଶନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି), ମେଘାଳୟର ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ମିଜୋ ନ୍ୟାଶନାଲ ଫ୍ରଣ୍ଟ ଅନୁଭବ କରୁଛନ୍ତି ୟୁସିସି ଲାଗୁ ହେବା ପରେ ଏହି ଆଦିବାସୀ ପ୍ରାଧାନ୍ୟ ରାଜ୍ୟଗୁଡିକର ସ୍ବତନ୍ତ୍ର ସ୍ଥିତି ଏବଂ ସଂସ୍କୃତି ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ ହେବ। ସେଥିପାଇଁ ଏହି ଦଳଗୁଡିକ ସମ୍ବିଧାନର ଧାରା ୩୭୧ ଦର୍ଶାଇ ୟୁସିସିକୁ ବିରୋଧ କରୁଛନ୍ତି, ଯାହା ଅଧୀନରେ ଏହି ରାଜ୍ୟଗୁଡିକ ଅନେକ ସୁବିଧା ପାଇଛନ୍ତି।

ମେଘାଳୟ ସିଏମ କନରାଡ ସାଙ୍ଗମା ୟୁସିସିକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ସମସ୍ତ ତଥ୍ୟକୁ ଦେଖି ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ୟୁସିସି ପ୍ରସଙ୍ଗକୁ ନେଇ ବିତର୍କ ହେବା ଆବଶ୍ୟକ। କାରଣ ଏହା ଏକ ଜଟିଳ ବିଷୟ ଅଟେ। ଯେପର୍ଯ୍ୟନ୍ତ ୟୁସିସିର ପ୍ରକୃତ ବ୍ଲୁ ପ୍ରିଣ୍ଟ ଆମ ସମ୍ମୁଖକୁ ନ ଆସେ, ସେପର୍ଯ୍ୟନ୍ତ ଏହା ଉତ୍ତର ପୂର୍ବ ରାଜ୍ୟଗୁଡିକ ପାଇଁ ଗ୍ରହଣ କରାଯିବା ଅତ୍ୟନ୍ତ କଷ୍ଟକର।

କେବଳ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଭାଜପାର ସହଯୋଗୀ ନୁହଁନ୍ତି, ବିଏସପି ଭଳି ଦଳ ଯାହା ପୂର୍ବରୁ ୟୁସିସିକୁ ସମର୍ଥନ କରିଥିଲେ ସେ ଦଳ ମଧ୍ୟ ଭାଜପାର ତରବରିଆ ଭାବ ଉପରେ ପ୍ରଶ୍ନ କରୁଛି। ବିଏସପି ଏମପି ତଥା ସଂସଦୀୟ ଦଳର ସଦସ୍ୟ ମାଲୁକ ନାଗର କହିଛନ୍ତି ଭାଜପା ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟ କରିବା ଉଚିତ ନୁହେଁ। ସମସ୍ତ ଧର୍ମ ଓ ଆଦିବାସୀଙ୍କ ମତାମତ ନେବା ପରେ ଏହା କାର୍ଯ୍ୟକାରୀ ହେବା ଉଚିତ। ଆମେ ଏହି ସପକ୍ଷରେ ଅଛୁ।

ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପା ସମେତ ବିରୋଧୀ ଦଳ ମଧ୍ୟରେ ରାଜନୈ ତିକ ବିବାଦ ଜାରି ରହିଛି। ବିରୋଧୀ ଦଳ କହିଛନ୍ତି ସାଧାରଣ ନିର୍ବାଚନ ପାଖେଇ ଆସୁଛି, ତେଣୁ ୟୁସିସି ଭଳି ପ୍ରସଙ୍ଗ ଉଠୁଛି। ଏଥିସହ ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୩ ପର୍ଯ୍ୟନ୍ତ ୟୁନିଫର୍ମ ସିଭିଲ କୋଡ ଉପରେ ଲୋକଙ୍କ ମତାମତ ଲୋଡିଛନ୍ତି। ଏପର୍ଯ୍ୟନ୍ତ ୧୯ ଲକ୍ଷରୁ ଅଧିକ ପରାମର୍ଶ ଆସିଛି ।

ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ ହେଉଛି। ରାମ ମନ୍ଦିର ଏବଂ ଧାରା ୩୭୦ ପରେ ୟୁନିଫର୍ମ ସିଭିଲ କୋଡ ଭାଜପା ପାଇଁ ଏକ ବଡ ପ୍ରସଙ୍ଗ। ତେଣୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ସଂସଦର ମୌସୁମୀ ଅଧିବେଶନରେ ଭାଜପା ୟୁସିସି ବିଲ ଆଣିବାକୁ ସକ୍ଷମ କି ନୁହେଁ।

Share