Categories: ଜାତୀୟ

ଫଳାଫଳ ପୂର୍ବରୁ ଭାଜପା-କଂଗ୍ରେସ ମଧ୍ୟରେ ଛକାପଞ୍ଝା: ରିସୋର୍ଟ-ପ୍ଲେନ ବୁକ, ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର…

ଜୟପୁର,୨।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନର ଏକଜିଟ ପୋଲ ପରେ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ଯଦି ବିଜୟୀ ଆସନରେ ସାମାନ୍ୟ ପାର୍ଥକ୍ୟ ରୁହେ, ତେବେ ସରକାର ଗଠନରେ ସ୍ବାଧୀନ ବିଧାୟକଙ୍କ ସହ ଆଞ୍ଚଳିକ ଦଳର ଭୂମିକା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ ସମ୍ଭାବ୍ୟ ବିଜେତାଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ଅଧିକ ନଜର ରଖାଯାଉଛି।

କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମ୍ଭାବ୍ୟ ବିଜେତାମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ କ୍ୟାମ୍ପ ପକାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଭାଜପାର ବିଧାୟକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସୂଚନାନୁସାରେ, ନିବ;ାଚନ ଫଳାଫଳ ଘୋଷଣା ହେବା ପରେ ବିଜେତା ବିଧାୟକଙ୍କୁ ବାଡଡିଆଁରୁ ରୋକିବା ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି।

ବିଜୟ ବ୍ୟବଧାନ ପାଞ୍ଚରୁ ଦଶ ସିଟ ମଧ୍ୟରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ରଣନୀତି ପ୍ରସ୍ତୁତ କରାଯିବାର ଏହା ହେଉଛି ପ୍ରମୁଖ କାରଣ। ବିଜୟର ସମ୍ଭାବନା ଥିବା ଏକ ଡଜନ ସ୍ବାଧୀନ ଏବଂ ଆଞ୍ଚଳିକ ଦଳର ପ୍ରାର୍ଥୀଙ୍କ ସହ ଯୋଗାଯୋଗ କରାଯାଉଛି।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଏବଂ ଭାଜପା ନେତା ବିଜୟୀ ବିଧାୟକଙ୍କ ଘୋଡାବେପାରକୁ ରୋକିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ସୂଚନାନୁସାରେ, ଗେହଲଟ ବେଙ୍ଗାଲୁରୁ ଏବଂ ଉଦୟପୁରରେ ଦୁଇଟି ରିସୋର୍ଟ ବୁକ କରିଛନ୍ତି। କଂଗ୍ରେସ ଏବଂ ସ୍ବାଧୀନ ବିଧାୟକମାନଙ୍କୁ ଏହି ରିସୋର୍ଟଗୁଡିକୁ ନେବା ପାଇଁ ଯୋଜନା ଅଛି। ସୂତ୍ରରୁ ପ୍ରକାଶ ଭାଜପା ରଣନୀତିଜ୍ଞମାନେ ବିଜେତା ବିଧାୟକମାନଙ୍କୁ ଗୁଜରାଟକୁ ନେବାକୁ ଯୋଜନା କରୁଛନ୍ତି। ସୂଚନାନୁସାରେ, ଉଭୟ ପକ୍ଷ ମଧ୍ୟ ଦୁଇଟି ବିମାନ ବୁକ କରିଛନ୍ତି।

 

Share