ବେଗୁନିଆପଡ଼ା,୧୯ା୧(ଡି.ଏନ୍.ଏ.): ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଭାଜପା।
ସୂଚନା ଅନୁଯାୟୀ, ଗୁରୁବାର କୋଦଳା ନିକଟସ୍ଥ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ ପରିସରରେ ଏକ ସାମାଜିକ ନାଟକ ପରିବେଷଣକୁ ନେଇ ଅଭିଯୋଗ କରିଛି ଭାଜପା। ଅଭିଯୋଗ ଅନୁସାରେ ମର୍ଦ୍ଦମେଖ ସରକାରୀ ହାଇସ୍କୁଲ କ୍ୟାମ୍ପସ ଭିତରେ ଗୁରୁବାର ଏକ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। ଖୋଦ କବିସୂର୍ଯ୍ୟନଗର ବିଧାୟିକା ଏହି ନାଟକ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିମାନେ ମଧ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତେବେ ବିଦ୍ୟାଳୟ ହତା ମଧ୍ୟରେ ପ୍ରାଇଭେଟ ଅନୁଷ୍ଠାନ ପକ୍ଷରୁ କୌଣସି କାର୍ଯ୍ୟକ୍ରମ କରିବା ପାଇଁ ବାରଣ ରହିଥିବା ବେଳେ କିଏ ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଭାଜପା ଉପସଭାପତି ଅନୀତା ଶୁଭଦର୍ଶନୀ। ଏନେଇ ମେଲ୍ ଯୋଗେ ଗଞ୍ଜାମ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ସହ ଆଇନଗତ ଓ ବିଭାଗୀୟ କାର୍ଯ୍ୟ।ନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସେପଟେ ଏନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଅଜାଣତରେ ନାଟକ ହୋଇଥିବା ଏବଂ ଏଥିପାଇଁ କେହି ତାଙ୍କୁ ପଚାରି ନ ଥିବା ସେ କହିଛନ୍ତି। ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଏନେଇ ସେ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ତେବେ ବିଦ୍ୟାଳୟ ପରିସରରେ ନାଟକ ପରିବେଷଣକୁ ନେଇ ଏବେ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି।