ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ନେପାଳରେ ବିବାଦ, ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି ବିଦ୍ୟା ଦେବୀ …

କାଠମାଣ୍ଡୁ, ୧୫।୮ : ନେପାଳରେ ନାଗରିକତ୍ୱ ସଂଶୋଧନ ବିଧେୟକ ନେଇ ବିବାଦ ଉପୁଜିଛି। ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦରେ ପାରିତ ହେବାର ଏକ ମାସ ପରେ ପୁନର୍ବିଚାର ପାଇଁ ଦେଶର ପ୍ରଥମ ନାଗରିକତ୍ୱ ସଂଶୋଧନ ବିଲକୁ ରବିବାର ପ୍ରତିନିଧିସଭାକୁ ଫେରାଇ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମୁଖପାତ୍ର ସାଗର ଆଚାର୍ଯ୍ୟ କହିଛନ୍ତି ଯେ ଗୃହରେ ବିଲ ସମୀକ୍ଷା କରିବା ଆବଶ୍ୟକ ବୋଲି ବିବେଚନା କରାଯାଉଥିବାରୁ ଏହାକୁ ପୁନର୍ବାର ପଠାଯାଇଛି।

ପ୍ରତିନିଧିସଭା ଏବଂ ନ୍ୟାଶନାଲ ଆସେମ୍ବ୍ଲିରେ ବିଧେୟକ ପାରିତ ହେବା ପରେ ସମ୍ମତି ପାଇଁ ବିଲକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିଲା।

ଏହି ବିଲ ମାଧ୍ୟମରେ ନେପାଳ ନାଗରିକତ୍ୱ ଅଧିନିୟମ ୨୦୬୩-ବିଏସ୍‌ ସଂଶୋଧନ କରାଯାଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଏବଂ ନେପାଳର କମ୍ୟୁନିଷ୍ଟ ପାର୍ଟି (ୟୁଏମଏଲ) ଏହାର କିଛି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲା। ଏହି ବିଲର ଏକ ବିବାଦୀୟ ବ୍ୟବସ୍ଥା ହେଉଛି ଯେ ନେପାଳର ନାଗରିକଙ୍କୁ ବିବାହ କରୁଥିବା ବିଦେଶୀ ମହିଳାଙ୍କୁ ତୁରନ୍ତ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରାଯିବ।

ନେପାଳର ସଂସଦ ୧୪ ଜୁଲାଇରେ ଏହି ବିଲ ପାରିତ ହୋଇଥିଲା। ରାଜନୈତିକ ଦଳମାନେ ଏଥିରେ ସହମତି ପ୍ରକାଶ କରିବାରେ ବିଫଳ ହୋଇଥିବାରୁ ଏହି ବିଲ ଦୁଇ ବର୍ଷରୁ ଅଧିକ ସମୟ ବିଚାରାଧୀନ ରହିଥିଲା। ନେପାଳର ସାର୍ବଭୌମତ୍ୱ ନାମରେ କେପି ଶର୍ମା ଓଲିଙ୍କ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ଏହି ବିଲକୁ ବିରୋଧ କରୁଛି। ଏହା ଦାବି କରିଛି ଯେ ଏହି ବିଲ ପାସ ହେବା ପରେ ବାହାର ଲୋକ ନେପାଳର ନାଗରିକତ୍ୱ ପାଇପାରିବେ। ଯାହା ଦେଶବାସୀଙ୍କୁ ବିପଦରେ ପକାଇବ। ତେବେ ଶାସକ ନେପାଳୀ କଂଗ୍ରେସ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି।

ବିଦ୍ୟା ଦେବୀ ଭଣ୍ଡାରୀ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଏହି ଦଳର ଅଧ୍ୟକ୍ଷ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଏଭଳି ପରିସ୍ଥିତିରେ ସେ ଜାଣିଶୁଣି ଓଲିଙ୍କ ପାର୍ଟିକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ, ୨୦୨୧ରେ ରାଜନୈତିକ ସଙ୍କଟ ସମୟରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଓଲିଙ୍କ ପକ୍ଷ ରଖିଥିଲେ।

Share