ବାରିପଦା ଅଫିସ,୩୦ା୧: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ବାଲି ସଇରାତକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପିଛା ଛାଡୁନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଲିଜ୍ଧାରୀ ପ୍ରଦୀପ କୁମାର ବିନ୍ଧାଣୀଙ୍କୁ ତହସିଲ କାର୍ଯ୍ୟାଳୟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ବିନ୍ଧାଣୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୩୦/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବେଲପାଳ ଗ୍ରାମର ଅମୀର କୁମାର ନାୟକ, ସୁଶାନ୍ତ କୁମାର ନାୟକ, ରିଙ୍କୁ ନାୟକ ଓ ସପନ କୁମାର ଘୋଷ।
ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପ୍ରଦୀପ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ବୋଲେରୋରେ ପଶ୍ଚିମବଙ୍ଗ ବୋହଡାଗୁଡା ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରଦୀପଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କ ପାଖରେ ଥିବା ୩୦ ହଜାର ଟଙ୍କା, ସୁନାମୁଦି ଓ ଚେନ୍ ଛଡ଼ାଇ ନେଇଥିଲେ। ବନ୍ଧୁକ ମୁନରେ ଧମକ ଦେଇ ବାଲିଘାଟ ପର୍ମିଟ ଅନ୍ୟ ଗୋଷ୍ଠୀକୁ ନ ଦେବା ପାଇଁ ଲିଖିତ ଭାବେ ରାଜିନାମା କରାଇଛନ୍ତି। ଘଟଣା ପ୍ରଘଟ ହେବା ପରେ ପୋଲିସ ଅନୁସନ୍ଧାନ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥାନାରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଉପସ୍ଥିତିରେ ୫୦ରୁ ଅଧିକ ଲୋକ ଥାନାରେ ପାଟିତୁଣ୍ଡ କରିଥିଲେ ହେଁ ପୋଲିସର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଘଟଣାର ସତ୍ୟତା ନ ଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି।