Categories: ଜାତୀୟ

ସାଂସ୍କୃତିକ କାର୍ଯ୍ୟକ୍ରମ ନେଇ ବିବାଦ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ପାଇଁ କଂଗ୍ରେସର ଦାବି…

ଥିରୁଭାନନ୍ତପୁରମ୍‌,୧୦।୧ : କେରଳରେ ଏକ ସରକାରୀ ବିଦ୍ୟାଳୟରେ ଯୁବ ମହୋତ୍ସବର ଉଦଘାଟନ ଉତ୍ସବ ସମୟରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ରାଜନୀତି ଆରମ୍ଭ ହୋଇଛି। ମଙ୍ଗଳବାର ବିରୋଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଏନେଇ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ଦାବି କରିଛି। ଜାନୁଆରୀ ୩ ରେ ପାଞ୍ଚ ଦିନିଆ ଯୁବ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କେତେକ ଲୋକ ଅଭିଯୋଗ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟଙ୍କୁ ଏଥିରେ ଚରମପନ୍ଥୀ ଭାବରେ ଚିତ୍ରିତ କରାଯାଇଛି।

ତେବେ, ସିପିଆଇ (ଏମ) ଦୋହରାଇଛି ଯେ ଏହାର ଦଳ ଏବଂ ସରକାର କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ସମ୍ପ୍ରଦାୟ କିମ୍ବା ବିଶ୍ୱାସ ବିରୁଦ୍ଧରେ କିଛିି ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ। ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ ଯୁବ ମହୋତ୍ସବରେ ହୋଇଥିବା ଭୁଲ ପାଇଁ ବାମ ସରକାର ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ରହିଛି। ସାଧାରଣ ଶିକ୍ଷା ମନ୍ତ୍ରୀ ଭି ସିଭାନକୁଟ୍ଟି ଘଟଣାର ତଦାରଖ କରାଯିବ ବୋଲି ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଆର୍ଟ ଗ୍ରୁପକୁ ଆଗାମୀ ଉତ୍ସବରେ ସୁଯୋଗ ଦିଆଯିବ ନାହିଁ।

ଆର୍ଟ ଗ୍ରୁପ ପୂର୍ବରୁ କହିଥିଲା ଯେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ଆର୍ଟ ଗ୍ରୁପ କଳାକାରମାନଙ୍କୁ ଅଧିକ ସୁଯୋଗ ନ ଦେବା ପାଇଁ ପଦକ୍ଷେପ ନିଆଯିବ। ସିଭାନକୁଟ୍ଟି କହିଛନ୍ତି, ଏହିପରି ଚିତ୍ରଣ କିପରି ଘଟିଲା ତାହାର ତଦନ୍ତ କରାଯିବ। ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାସ ପୂର୍ବରୁ ମଧ୍ୟ କହିଥିଲେ ଯେ ଆମ ଦେଶରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଚରମପନ୍ଥୀ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଛି।

ସଂଘ ପରିବାର ସହିତ ଏହି କାର୍ଯ୍ୟକ୍ରମର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ର ସମ୍ପର୍କ ଅଛି କି ନାହିଁ ତାହା ଯାଞ୍ଚ କରାଯିବା ଉଚିତ। ଏହି ପ୍ରସଙ୍ଗକୁ ନେଇ ବହୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ସମାଲୋଚନା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ମାର୍କ୍ସବାଦୀ ଦଳର ଜିଲା ୟୁନିଟ କହିଛି ଯେ ସେମାନେ ଏହି ମାମଲାକୁ ଗମ୍ଭୀରତାର ସହ ଦେଖୁଛନ୍ତି। ଏକ ବିବୃତ୍ତିରେ ସିପିଆଇ (ଏମ)ର କୋଝିକୋଡେ ଜିଲା ଶାଖା କହିଛି ଯେ ଏହି କାର୍ଯ୍ୟକ୍ରମରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଏଳି ଭାବରେ ଚିତ୍ରଣ କରିବା ଏଲଡିଏଫ ସରକାର ଏବଂ କେରଳର ସମାଜସେବୀଙ୍କ ଦୃଷ୍ଟିକୋଣର ବିରୋଧୀ। ଏହି ଘଟଣାର ତଦନ୍ତ ଆବଶ୍ୟକ। ପଦକ୍ଷେପ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସିପିଆଇ (ଏମ) ରାଜ୍ୟ ସଚିବ ଏମ.ଭି. ଗୋବିନ୍ଦ ମଙ୍ଗଳାବର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ମାର୍କ୍ସବାଦୀ ଦଳ ଏବଂ ଏହାର ସରକାର କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ବିଶ୍ୱାସ ବିରୁଦ୍ଧରେ ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ ଏବଂ ଏହାର ପ୍ରତିବାଦରେ କିଛି ପଦକ୍ଷେପଗ୍ରହଣ କରାଗଲେ ତାହାର ଯାଞ୍ଚ କରାଯିବ।

Share