ପୁରୀ,୧୮ା୩ (ଅଜିତ୍ କୁମାର ମହାନ୍ତି): ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ହେମାମାଳିନୀ ହିନ୍ଦୁ ନୁହନ୍ତି, ସେ ମୁସଲମାନ ଅଟନ୍ତି।
ତେଣୁ ତାଙ୍କର ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଆଇନ। ହେମାମାଳିନୀ ୨୧ ଅଗଷ୍ଟ ୧୯୭୯ରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇଠାରେ ମୁସ୍ଲିମ୍ ପ୍ରଥାରେ ବିବାହ କରିଥିଲେ। ଉକ୍ତ ବିବାହକୁ ମୌଲାନା କାଜି ଅବଦୁଲା ଫଇଜାବାଦି ନିକାହ କରାଇଥିଲେ। ବିବାହ ନିମନ୍ତେ ଧର୍ମେନ୍ଦ୍ର ଏବଂ ହେମା ୧ ଲକ୍ଷ ୧୧ ହଜାର ଟଙ୍କା ଦେଇଥିଲେ। ହିନ୍ଦୁ ବିବାହ ଆଇନ ୧୯୫୫କୁ ଫାଙ୍କିବା ପାଇଁ ଧର୍ମେନ୍ଦ୍ର ଓ ହେମା ଏପରି ପନ୍ଥା ଆପଣେଇ ବିବାହ କରିଥିଲେ। କାରଣ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ସନ୍ତାନ ଥିଲେ। ପୂର୍ବରୁ ଗୋଟିଏ ସ୍ତ୍ରୀ ଥିବାରୁ ହିନ୍ଦୁ ଆଇନରେ ଦ୍ୱିତୀୟ ବିବାହ ଆଇନସମ୍ମତ ନୁହେଁ।
ତେଣୁ ଦ୍ୱିତୀୟ ବିବାହ କରିବା ନିମନ୍ତେ ଉଭୟେ ଧର୍ମେନ୍ଦ୍ର ଏବଂ ହେମା ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ମୁସଲମାନ ଧର୍ମରେ ଏକାଧିକ ବିବାହ କରିବାର ପ୍ରଥା ରହିଛି। ଧର୍ମେନ୍ଦ୍ର ନିଜକୁ ଦିଲାୱାର ଖାନ୍ କଓ୍ବେଲ କ୍ରିଷ୍ଣ ଏବଂ ହେମା ନିଜକୁ ଆଇଶା ବି ଆର୍ ଚକ୍ରବର୍ତ୍ତୀ ବୋଲି ଦର୍ଶାଇ ବିବାହ କରିଥିଲେ। ଉଭୟଙ୍କ ଦୁଇଟି କନ୍ୟାସନ୍ତାନ ରହିଛନ୍ତି। ତେବେ ହେମାମାଳିନୀ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ଘଟଣା କୋଟି କୋଟି ସନାତନ ହିନ୍ଦୁମାନଙ୍କୁ ଆଘାତ ଦେଇଛି। ତେଣୁ ଆଇନ ଅନୁଯାୟୀ ହେମାମାଳିନୀଙ୍କୁ ତଦନ୍ତ ପୂର୍ବକ ମାମଲା ରୁଜୁ କରି ନୋଟିସ ଜାରି କରାଯାଉ। ଅଭିଯୋଗ ସତ ହୋଇଥିଲେ ଗିରଫ କରାଯାଉ। ତେବେ ହେମା ମୁସଲିମ୍ ବୋଲି ପୁରୀ ଲୋକ ସଭା ଏମ୍ପି ସମ୍ବିତ ପାତ୍ର ଜାଣିଛନ୍ତି। ତେଣୁ ସେ ବିବାଦ ଘେରକୁ ନ ଯିବାପାଇଁ ହେମାଙ୍କୁ ଦୋଳବେଦୀ ନିକଟରେ ଛାଡ଼ି ଚାଲିଯାଇଥିଲେ ବୋଲି ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି।