Categories: ଖେଳ

ଜିକ୍‌ସନଙ୍କ ପତାକା ସେଲିବ୍ରେଶନକୁ ନେଇ ବିବାଦ

ବେଙ୍ଗାଲୁରୁ, ୬ା୭(ପି.ଟି.): ଦୁଇ ମାସ ଧରି ମଣିପୁରରେ ଜାରି ରହିଥିବା ହିଂସାକାଣ୍ଡ ଶେଷରେ ଫୁଟବଲ ପଡିଆରେ ପହଞ୍ଚିଛି। ସାଫ୍‌ ଚାମ୍ପିୟନଶିପ୍‌ ଫାଇନାଲରେ ଭାରତୀୟ ଜାତୀୟ ଫୁଟବଲ ଦଳର ସଦସ୍ୟ ଜିକ୍‌ସନ ସିଂଙ୍କ ସେଲିବ୍ରେଶନକୁ ନେଇ ବିବାଦ ଦେଖାଦେଇଛି। ଫାଇନାଲରେ ଭାରତ ସଡନ୍‌ଡେଥ୍‌ରେ କୁଏଟ୍‌କୁ ପରାସ୍ତ କରିବା ପରେ ସମଗ୍ର ଦଳର ଖେଳାଳି ଜାତୀୟ ପତାକା ସହିତ ସେଲିବ୍ରେଶନ କରୁଥିବା ବେଳେ ଜିକ୍‌ସନ କିନ୍ତୁ ମେଇତେଇ ସମ୍ପ୍ରଦାୟର ପତାକାରେ ନଜର ଆସିଥିଲେ। ସାତ ରଙ୍ଗର ଏହି ପତାକାକୁ କାଙ୍ଗଲେଇପାକ୍‌ ବା ସାଲାଇ ଟାରେଟ ବୋଲି କୁହାଯାଏ। ପୁରାତନ ମଣିପୁରର ୭ ସମ୍ପ୍ରଦାୟକୁ ଏହି ୭ ରଙ୍ଗ ଦର୍ଶାଇଥାଏ। ଏହାକୁ ମେଇତେଇ ସମ୍ପ୍ରଦାୟ ବ୍ୟବହାର କରିଥାଏ। ତେବେ ଏହି ନର୍ଥ ଇଷ୍ଟ ରାଜ୍ୟରେ ଦୁଇ ମାସ ହେବ ହିଂସା ଲାଗି ରହିଛି। କୁକି ଓ ମେଇତେଇ କମ୍ୟୁନିଟି ମଧ୍ୟରେ ଏହି ଲଢେଇ ମେ ମାସରୁ ଲାଗି ରହିଥିବା ବେଳେ ରାଜ୍ୟ ଜଳୁଛି। କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରାଯାଇଥିବା ବେଳେ ମେଇତେଇ ମଧ୍ୟ ସାମନ ଦାବି କରୁଛି। ଏହାକୁ ନେଇ ରାଜ୍ୟରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ସାଲାଇ ଟାରେଟ ସହିତ ସେଲିବ୍ରେଟ୍‌ କରିଥିବା ଜିକ୍‌ସନ୍‌ ସମାନ ପତାକା ପକାଇ ପଦକ ଗ୍ରହଣ କରିବାକୁ ମଧ୍ୟ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଭାରତୀୟ ଭାବରେ ଏକ ବିଶ୍ୱକପରେ ସ୍କୋର କରିଛନ୍ତି ଜିକ୍‌ସନ। ୨୨ ବର୍ଷୀୟ ଜିକ୍‌ସନ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପରେ ପ୍ରଥମେ ଭାରତ ପାଇଁ ଗୋଲ୍‌ ସ୍କୋର କରିଥିଲେ।
ଜିକ୍‌ସନଙ୍କ ସ୍ପଷ୍ଟୀକରଣ: ଜିକ୍‌ସନଙ୍କ ସେଲିବ୍ରେଶନ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖା ଦେଇଥିଲା। ଫଳରେ ଟୁଇଟରରେ ଜିକ୍‌ସନ ସ୍ପଷ୍ଟୀକରଣ ଦେଇଥିଲେ। ଏପରି ସେଲିବ୍ରେଶନ ଦ୍ୱାରା କାହାକୁ ଅପମାନିତ କରିବା ମୋର ଲକ୍ଷ୍ୟ ନ ଥିଲା ବୋଲି ସେ ସ୍ପଷ୍ଟ କରିଥିଲେ। ସାଫ୍‌ ଚାମ୍ପିୟନଶିପ୍‌ର ବିଜୟ ସମଗ୍ର ଭାରତୀୟଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଥିଲେ। ମୋ ରାଜ୍ୟ ବିଗତ ଦୁଇ ମାସ ହେଲାଣି ଜଳୁଛି। ଶାନ୍ତିର ଅପିଲ୍‌ ପାଇଁ ମୁଁ ଏହି ସେଲିବ୍ରେଶନ କରିଥିଲି ବୋଲି ସେ କହିଛନ୍ତି। ମୋ ପରିବାର ସୁରକ୍ଷିତ ରହିଥିଲେ ମଧ୍ୟ ମୋ ରାଜ୍ୟର ଶହ ଶହ ଘର ଜଳୁଛି ତେଣୁ ଶାନ୍ତି ଫେରି ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Share