ଆର.ଉଦୟଗିରି,୧୯।୩(ଡି.ଏନ୍.ଏ.): ଠାକୁରାଣୀ ମନ୍ଦିର ଜମିକୁ ଜଣେ ବ୍ୟକ୍ତି ଅକ୍ତିଆର କରିଛନ୍ତି। ତା ସହ ଜଙ୍ଗଲ ମଧ୍ୟ ସଫ କରୁଛନ୍ତି ା ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ବି ସ୍ଥାନ ଛାଡିଲାନି ସେହି ବ୍ୟକ୍ତି। ଶେଷରେ ମହିଳା ସଂଘ ଅଣ୍ଟା ଭିଡିଲେ। ଦୋକାନ ବଜାର ବନ୍ଦ କଲେ। ସେହି ଜମି ନିକଟରେ ଧାରଣା ଦେଲେ। ଖବର ପାଇ ସେଠାରେ ତହସିଲଦାର ଏବଂ ପୋଲିସ୍ ପହଞ୍ଚିଲେ। ସେହି ଜମିରେ ୧୪୪ ଧାରା ଲାଗୁକଲେ। ଏଭଳି ଘଟଣା ଘଟିଛି ଗଜପତି ଜିଲା ଅଡବା ଗ୍ରାମର ଭୀମାକାଳୁଆ ମନ୍ଦିର ଜମିରେ। ସେହି ମନ୍ଦିର ଜମିରେ ଅସଂଖ୍ୟ ମୂଲ୍ୟବାନ ଗଛ ଅଛି। ହେଲେ ଏହି ଜମିକୁ କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ସହ ମୂଲ୍ୟବାନ ଗଛ ଗୁଡିକ କାଟି ନେଉଥିବା ଅଭିଯୋଗ ହେଉଥିଲା। ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଚେଷ୍ଟା କରିବାରୁ ଓଲଟା ଅକ୍ତିଆର କରିଥିବା ବ୍ୟକ୍ତି ଜଣକ ସାମ୍ପ୍ରଦାୟିକ ପରିସ୍ଥିତି ସୃଷ୍ଟି ହେଲା ଭଳି ଲେଖା ଲେଖି ତହସିଲଦାର ଏବଂ ଆର୍ଆଇ ଏନେଇ ଦାୟୀ ରହିବେ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତେଣୁ ଶନିବାର ଗ୍ରାମବାସୀ ସେହି ଜମି ନିକଟରେ ଏକତ୍ରିତ ହୋଇଥିଲେ। ପୋଲିସ ଓ ତହସିଲ ପ୍ରଶାସନ ପହଞ୍ଚି ଲୋକଙ୍କ ସହ ଆଲୋଚନା ପରେ ସେଠାରେ ୧୪୪ ଧାରା ଜାରି କରିଛନ୍ତି। ଆସନ୍ତା ତିନି ସପ୍ତାହ ମଧ୍ୟରେ ସମସ୍ତ ସମାଧାନ ହୋଇଯିବ ବୋଲି କହିଛନ୍ତି ମୋହନା ତହସିଲଦାର ହିମାଂଶୁ ଭୂଷଣ ପଲେଇ।