Categories: ଜାତୀୟ

କେରଳରେ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ନେଇ ବିବାଦ

ଥିରୁଭାନନ୍ଥପୁରମ୍‌, ୨୩।୧୧: ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ସତ୍ତ୍ୱେ କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୌଣସି ଯୋଗାଯୋଗ ମାଧ୍ୟମରେ ଧମକପୂର୍ଣ୍ଣ ବାର୍ତ୍ତା ଦେବା, ଅପମାନିତ କିମ୍ବା ଅସମ୍ମାନିତ କରିବା ଭଳି ଅପରାଧ ବନ୍ଦ କରିବା ଲକ୍ଷ୍ୟରେ ସରକାର ଆଇନରେ ସଂଶୋଧନ କରିଛନ୍ତି। ଏଭଳି ଅପରାଧୀଙ୍କୁ ୫ ବର୍ଷ ଜେଲ୍‌ କିମ୍ବା ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ।
ଅନ୍ୟପକ୍ଷରେ ଗଣମାଧ୍ୟମର ମୁହଁ ବନ୍ଦ କରିବା ଏହି ଅଧ୍ୟାଦେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏହି ଅଧ୍ୟାଦେଶ ପୋଲିସକୁ ଅନାବଶ୍ୟକ ଭାବେ ଅଧିକ କ୍ଷମତା ପ୍ରଦାନ କରୁଥିବାରୁ ଗଣମାଧ୍ୟମର ସ୍ବାଧୀନତା କ୍ଷୁଣ୍ଣ ହେବ ବୋଲି ବିରୋଧୀ କହିଛନ୍ତି। ପ୍ରେସ୍‌ ସ୍ବାଧୀନତା ସଙ୍କୁଚିତ କରିବା କିମ୍ବା ସାମ୍ବାଦିକତା ପ୍ରତି ପକ୍ଷପାତ କରିବାରେ ଅଧ୍ୟାଦେଶକୁ ବ୍ୟବହାର କରାଯିବା ପ୍ରଶ୍ନ ଉଠୁନି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି। ବ୍ୟକ୍ତି ସ୍ବାଧୀନତା ଓ ମର୍ଯ୍ୟାଦା ରକ୍ଷା କରିବା ରାଜ୍ୟର କର୍ତ୍ତବ୍ୟ ବୋଲି ସେ କହିବା ସହ ଗଣମାଧ୍ୟମ କିମ୍ବା ସାମ୍ବିଧାନିକ ସୀମା ମଧ୍ୟରେ ସରକାରଙ୍କୁ ସମାଲୋଚନା କରୁଥିବା କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share