Categories: ଜାତୀୟ

ମମତାଙ୍କ ଅଡିଓ କ୍ଲିପ୍‌କୁ ନେଇ ବିବାଦ

କୋଲକାତା, ୧୮।୪: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ଏକ ଅଡିଓ କ୍ଲିପ୍‌କୁ ଭାଜପାର ଆଇଟି ସେଲ୍‌ ଲିକ୍‌ କରିଦେଇଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ଭାଜପା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମ୍‌ସି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି। ପ୍ରଚାରରେ ଟିଏମ୍‌ସି ସହ ଟକ୍କର ଦେଇପାରୁ ନ ଥିବା ଭାଜପା ଷଡ଼ଯନ୍ତ୍ର କରୁଛି। ସେମାନଙ୍କ ଗୁପ୍ତଚର ବୃତ୍ତିର ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି। ଗୁପ୍ତଚର ବୃତ୍ତି ପଛରେ କିଏ ତାହା ସେ ଜାଣନ୍ତି ଏବଂ କାହାକୁ ଛାଡ଼ିବେ ନାହିଁ ବୋଲି ତୃଣମୂଳ କଂହଗ୍ରେସ ନେତ୍ରୀ ଏକ ରାଲିରେ ଉଦ୍‌ବୋଧନ ଦେବା ଅବସରରେ କହିଛନ୍ତି।
ଟିଏମ୍‌ସିର ଶୀତଳକୁଚି ପ୍ରାର୍ଥୀ ପାର୍ଥ ପ୍ରତୀମ ରାୟଙ୍କ ସହ ମମତାଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍‌କୁ ଭାଜପା ଲିକ୍‌ କରିଦେବା ଫଳରେ ବିବାଦ ଜୋର୍‌ଦାର ହୋଇଛି। ଗତ ୧୦ ତାରିଖରେ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଥିବା ୪ ଜଣଙ୍କ ମୃତଦେହକୁ ନେଇ ରାଲି କରାଇବା ପାଇଁ ମମତା ପାର୍ଥଙ୍କୁ କହିଥିବା ଉକ୍ତ ଟେପ୍‌ରୁ ଜଣାପଡ଼ିଛି। ମମତା ମୃତଦେହକୁ ନେଇ ରାଜନୀତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଅନ୍ୟପକ୍ଷରେ ଭୁଲ୍‌ ତଥ୍ୟ ପ୍ରଚାର କରିବା ପାଇଁ ବିରୋଧୀ ଦଳ ଅଡିଓ କ୍ଲିପ୍‌ର ବିଷୟବସ୍ତୁକୁ ବିକୃତ କରିଥିବା ଟିଏମ୍‌ସି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌କୁ ଭାଜପା ନିଜ ସ୍ବାର୍ଥ ପାଇଁ ଟ୍ୟାପିଂ କରି ଏହାକୁ ନିର୍ବାଚନ ପୂର୍ବରୁ ଲିକ୍‌ କରିବା ଅଭୂତପୂର୍ବ। ଭାଜପାର ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମ୍‌ସି ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖିଛି। ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତାକୁ ରେକର୍ଡ କରିବା ସମ୍ବିଧାନର ସମ୍ପୂର୍ଣ୍ଣ ଉଲ୍ଲଂଘନ ସହିତ ଭାରତୀୟ ଟେଲିଗ୍ରାଫ୍‌ ଆଇନ, ସୂଚନା ପ୍ରଯୁକ୍ତି ଆଇନ ଏବଂ ଆଇପିସିର ଉଲ୍ଲଂଘନ ବୋଲି ଟିଏମ୍‌ସି କହିଛି। ଭାଜପା କାର୍ଯ୍ୟାଳୟରେ ଏହି ଅଡିଓ କ୍ଲିପ୍‌ ଲିକ୍‌ ବେଳେ ସେଠାରେ ଭାଜପା ଆଇଟି ସେଲ୍‌ ପ୍ରଭାରୀ ଅମିତ ମାଲବ୍ୟ ଏବଂ ଏମ୍‌ପି ଲକେଟ ଚାଟାର୍ଜୀ ଉପସ୍ଥିତ ଥିଲେ। ମମତା ଦଙ୍ଗାକୁ ଉସୁକାଉଥିବା ଅଡିଓ ଟେପ୍‌ରୁ ସ୍ପଷ୍ଟ ହୋଇଛି ବୋଲି ମାଲବ୍ୟ କହିଥିଲେ।

Share