ଯାତ୍ରୀବାହୀ ବସ୍‌ ସମୟକୁ ନେଇ ବିବାଦ

ଆନନ୍ଦପୁର,୫। ୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଯାତ୍ରୀବାହୀ ବସ୍‌ ସମୟକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ସମାଧାନ ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଶୁକ୍ରବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଉପଖଣ୍ଡ ଚିକିତ୍ସାଧିକାରୀ ଉପସ୍ଥିତ ରହି ଯାତ୍ରୀବାହୀ ବସ୍‌କୁ ନେଇ ସ୍ଥିର ହୋଇଥିବା ସମୟ ସମ୍ପର୍କରେ ଆଲୋଚନା କରିବା ସହିତ କେଉଁ ଉପାୟରେ ସମାଧାନର ରାସ୍ତା ବାହାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଆନନ୍ଦପୁର ଘରୋଇ ବସ୍‌ ଆସୋସିଏସନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ପରିଷଦର କର୍ମକର୍ତ୍ତା, ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ବୈଠକରେ ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡଠାରୁ ଖପରାଖାଇସ୍ଥିତ ଆନନ୍ଦପୁର ୧ ନଂ ବସଷ୍ଟାଣ୍ଡକୁ ରହିଥିବା ସମୟକୁ ୭ମିନିଟ ପରିବର୍ତ୍ତେ ୧୨ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଆନନ୍ଦପୁର ଫକୀରମୋହନ ବସଷ୍ଟାଣ୍ଡଠାରୁ ଷ୍ଟପେଜ୍‌ ହଟାଇବା ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। କୋର୍ଟ, କଚେରୀ, ଉପକୋଷାଗାର, ଉପଜିଲାପାଳଙ୍କ କାର୍ଯ୍ୟାଳୟ, ପୌରକାର୍ଯ୍ୟାଳୟ, ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ ଶାଖା ଫକୀରମୋହନ ବସଷ୍ଟାଣ୍ଡକୁ ସଂଲଗ୍ନ କରି ରହିଛି। ବ୍ରିଜଛକରୁ ଫକୀରମୋହନ ବସଷ୍ଟାଣ୍ଡର ଦୂରତା ୩ କି.ମି. ରହୁଥିବାରୁ ଯାତ୍ରୀମାନେ ଅଯଥା ଅସୁବିଧାର ସମ୍ମୁଖୀନ ହେବେ। ଜନସାଧାରଣଙ୍କ ସ୍ବାର୍ଥ ଓ ଯାତାୟାତର ସୁବିଧା ପାଇଁ ସମସ୍ତ ଅନୁଷ୍ଠାନର ନିଷ୍ପତ୍ତି ଓ ସ୍ଥାନୀୟ ଲୋକଙ୍କ ମତକୁ ଗୁରୁତ୍ୱ ଦେଇ ଉପଜିଲାପାଳ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ।

Share