ରାସ୍ତା ଖୋଳାକୁ ନେଇ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଲଙ୍ଗଳେଶ୍ୱର,୧୭।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ସାଉଡ଼ି ପଞ୍ଚାୟତର ମହାନ୍ତି ଛକଠାରେ ସରକାରୀ ରାସ୍ତାକୁ ରାତି ଅଧରେ ଜେସିବି ମେଶିନ ଲଗାଇ ଖୋଳି ଦିଆଯିବା ନେଇ ଉତ୍ତେଜନା ପ୍ରକାଶ ପାଇଛି। ଯାତାୟତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ସାଉଡ଼ି ପଞ୍ଚାୟତର ମହାନ୍ତି ଛକ ଦେଇ ଯାଇଥିବା ଏହି ରାସ୍ତା ଉପରେ ୫ଟି ପଞ୍ଚାୟତର ହଜାର ହଜାର ଲୋକେ ଯାତାୟତ କରିବା ସମେତ ସ୍କୁଲ ଏବଂ ଅଙ୍ଗନୱାଡ଼ି ପିଲାମାନେ ଯିବା ଆସିବା କରିଥାନ୍ତି। ପୂର୍ବରୁ ଏଠାରେ ଥିବା ମାଟି ରାସ୍ତା ଉପରେ ଯାତାୟାତ କରୁଥିବା ଲୋକମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୦୨ରେ ତ୍ତତ୍କାଳୀନ ସରପଞ୍ଚ ନବୀନ ମହାନ୍ତି ସରକାରୀ ଅନୁଦାନରେ ପକ୍କା ରାସ୍ତା ନିର୍ମାଣ କରିଥିଲେ। ତେବେ ଗତ ଗୁରୁବାର ପୂର୍ବତନ ସରପଞ୍ଚ ମହାନ୍ତି ଉକ୍ତ ଢ଼ଳାଇ ରାସ୍ତାକୁ ନିଜ ରାସ୍ତା ବୋଲି ଦାବି କରି ଜେସିବି ମେଶିିନ ଦ୍ୱାରା ରାତି ଅଧରେ ତାଡ଼ି ପକାଇଛନ୍ତି। ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଲୋକେ ଲଙ୍ଗଳେଶ୍ୱର-କଷାଫଳ ମୁଖ୍ୟରାସ୍ତାର ମହାନ୍ତି ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସିଂଲା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ପୂର୍ବତନ ସରପଞ୍ଚ ମହାନ୍ତିଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।