ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ବିବାଦ

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୂଆଗାଁ  ବ୍ଳକର ଆଦର୍ଶ ବିଦ୍ୟାଳୟର ସ୍ଥାନ ଚୟନ ନେଇ ନୂଆଗାଁ  ଓ ମହିପୁର ବାସିନ୍ଦାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମହିପୁର ଅଞ୍ଚଳ ବାସିନ୍ଦା ହରିଡାବନ୍ଧ ମୌଜାରେ ବିଦ୍ୟାଳୟ ସ୍ଥାପନ କରିବାକୁ ଅଡି ବସିଥିବାବେଳେ ନୂଆଗାଁ  ବାସିନ୍ଦା ସମର୍ଥନ କରୁ ନାହାନ୍ତି । ଏଣୁ ବିଦ୍ୟାଳୟରେ ଛାତ୍ରୀଛାତ୍ର ପାଠ ପଢ଼ିବାରେ ସମସ୍ୟା ସୃଷ୍ଟି କରିଛି । ହରିଡାବନ୍ଧରେ ବିଦ୍ୟାଳୟ ସ୍ଥାପନ ପାଇଁ ମହିପୁର ଓ ଆଖପାଖ ୧୬ ଗାଁର ବାସିନ୍ଦା ଚଳିତ ମାସ ୨୮ରେ ମହିପୁର ଛକଠାରେ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜିଲାପାଳ, ଗଣଶିକ୍ଷା ମନ୍ତ୍ରୀ ଓ ସଚିବ, ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ନୟାଗଡ ଏସପି, ନୂଆଗାଁ  ଥାନା ଓ ମହିପୁର ଫାଣ୍ଡିଙ୍କୁ ସ୍ମାରକପତ୍ର ଦେଇଛନ୍ତି ।
ଅଭିଯୋଗ ଅନୁସାରେ ନୂଆଗାଁ  ବ୍ଳକର କେନ୍ଦ୍ର ସ୍ଥଳୀ ହେଉଛି ମହିପୁର । ମହିପୁରର ହରିଡାବନ୍ଧ ମୌଜା ହେଉଛି ଆଦର୍ଶ ବିଦ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ । ହରିଡାବନ୍ଧ ମୌଜା ମହିପୁର ବାହାଡାଝୋଲା ରାସ୍ତାରେ ରହିଛି । ଏଠାରେ ସ୍କୁଲ କରାଗଲେ ନୂଆଗାଁ  ବ୍ଳକର ସବୁ ଅଞ୍ଚଳର ଛାତ୍ରୀଛାତ୍ର ଉପକୃତ ହେବେ। ସ୍କୁଲ ପାଇଁ ୨୫ ଏକର ସରକାରୀ ଜମି ରହିଛି। ନୂଆଗାଁ  ତହସିଲଦାର, ଉପଜିଲାପାଳ, ନୟାଗଡ ଜିଲା ଶିକ୍ଷା ଅଧିକାରୀ ୨୦୨୦ ଜୁଲାଇ ୨୧ରେ ହରିଡାବନ୍ଧ ମୌଜାକୁ ଯାଇ ସଂପୃକ୍ତ ସ୍ଥାନ ବିଦ୍ୟାଳୟ ପାଇଁ ଠିକ ବୋଲି ଚୟନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହରିଡାବନ୍ଧ ମୌଜା ବିଦ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ ବୋଲି ଜିଲା ଶିକ୍ଷା ଅଧିକାରୀ ପତ୍ରାଙ୍କ ସଂଖ୍ୟା ୪୭୩୨/୨୧।୭।୨୦୨୦ରେ ଜିଲାପାଳଙ୍କୁ ଅବଗତ କରାଇଥିଲେ । ସେହିପରି ୨୧।୭।୨୦୨୦ରେ ନୂଆଗାଁ ବ୍ଳକ ଚେୟାରମ୍ୟାନଙ୍କ ସମେତ ୧୬ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏକାଠି ହୋଇ ହରିଡାବନ୍ଧ ମୌଜାରେ ଆଦର୍ଶ ବିଦ୍ୟାଳୟ କରାଯାଉ ବୋଲି ଜିଲାପାଳଙ୍କୁ ଅବଗତ କରାଇଥିଲେ । ତେବେ ମହିପୁର ଅଞ୍ଚଳକୁ ଅଣଦେଖା କରାଗଲେ ବହୁ ଛାତ୍ରୀଛାତ୍ର ଟିସି ନେଇ ପଳାଇ ଯିବେ । କେତେଜଣ ଛାତ୍ରୀଛାତ୍ର ସ୍କୁଲ ଛାଡି ସାରିଲେଣି । ଅପରପକ୍ଷେ ନୂଆଗାଁରେ ଚିହ୍ନଟ ସ୍ଥାନକୁ ତହସିଲଦାର ୩୩୬୭/୨୭।୧୨।୨୦୧୮ରେ ନାକଚ କରି ଜିଲାପାଳଙ୍କୁ ଅବଗତ କରାଇଥିଲେ। ତେବେ ନାକଚ ସ୍ଥାନରେ ବିଦ୍ୟାଳୟ ସ୍ଥାପନ ପାଇଁ ଚେଷ୍ଟା ଆରମ୍ଭ ପରେ ହାଇକୋର୍ଟ ଓ ଏନଜିଟ୍‌ରେ ମାମଲା ହୋଇଥିଲା।ନୂଆଗାଁରେ ନିରୁପିତ ସ୍ଥାନଟିକୁ ଛାଡି ଅନ୍ୟ ସ୍ଥାନରେ ବିଦ୍ୟାଳୟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ୨୫ ତାରିଖ ସୁଦ୍ଧା କାମ ଶେଷ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Share