ୟୁସିସିସିର ନୂତନ କର୍ମକର୍ତ୍ତା ଚୟନକୁ ନେଇ ବିବାଦ

ଭୁବନେଶ୍ୱର,୨୧।୯(ଶର୍ମିଷ୍ଠା ପାଣିଗ୍ରାହୀ)ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସିସି)କୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାରେ ନଁା ନେଉନି। ୟୁସିସି ନୂଆ କର୍ମକର୍ତ୍ତା ପାଇଥିବା ଗୋଟିଏ ଗୋଷ୍ଠୀ ବୁଧବାର ଖବରଦାତା ସମ୍ମିଳନୀ କରି ସ୍ପଷ୍ଟ କରିଥିବାବେଳେ ଅପରଗୋଷ୍ଠୀ ଏହାକୁ ବିରୋଧ କରିଛି, ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି।

ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ୟୁସିସିସି ସଭାପତି ପଦରେ ପ୍ରଯୋଜକ ସଞ୍ଜୟ ନାୟକ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ରବୀନ୍ଦ୍ର ପଣ୍ଡା, ସଚିବ ଏନ୍‌.ଜି. ରେଡ୍ଡୀ, ମହା ସଚିବ ଭାଗ୍ୟଲକ୍ଷ୍ମୀ ସାମଲ ଓ କୋଷାଧ୍ୟକ୍ଷ ଦାୟିତ୍ୱରେ ସ୍ଥିତ ପଟ୍ଟନାୟକ ରହିଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ସଭ୍ୟଭାବେ ତପନ ଦାଶ, ଅନୁପମ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲୋକନାଥ ଦାସ, ଦୀପ ସାମଲ, ପ୍ରୀତମ ସାହୁ, ଅନୁପ୍ରୟାସ ମହାନ୍ତି ପ୍ରମୁଖ ମନୋନୀତ ହୋଇଛନ୍ତି। ଏମାନେ ୧ବର୍ଷ ପାଇଁ ଏହି ପଦବୀରେ ରହିବେ। ତେବେ ପୂର୍ବରୁ ଥିବା ସଦସ୍ୟମାନେ ୟୁସିସିର ସଦସ୍ୟ ହୋଇ ରହିବେ। ବର୍ଷେ ପରେ ପୁନଃ ନିର୍ବାଚନ କରାଯାଇ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ୩ବର୍ଷ ପାଇଁ ଦାୟିତ୍ୱ ଦିଆଯିବ। ପୂର୍ବରୁ ୟୁସିସି ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ଜିଲାସ୍ତରରେ ହେଉଥିବାବେଳେ ବର୍ତ୍ତମାନ ଏହା ଅପଗ୍ରେଡେଶନ ହୋଇ ଆଇଜିଆର୍‌ ଅଧୀନକୁ ଆସିଲା। ଫଳରେ ନୂଆ ନିୟମ ସହ ୟୁସିସି ରାଜ୍ୟସ୍ତରରେ ପଞ୍ଜୀକୃତ ହୋଇଛି। ନୂତନ ନିୟମ ଅନୁସାରେ ଆସନ୍ତା ଏକ ବର୍ଷ ଲାଗି ଓଡିଆ ଫିଲ୍ମର ଉନ୍ନତି ପାଇଁ ରୋଡ୍‌ ମ୍ୟାପ ଓ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ନୂଆ ରେଜିଷ୍ଟ୍ରେଶନ ପାଇଁ ବର୍ତ୍ତମାନ ପ୍ରଯୋଜକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୫୦ହଜାର ଟଙ୍କା ରହିଥିଲା, ଯାହାକୁ ନେଇ ବିବାଦ ଓ ପ୍ରତିବାଦର ସ୍ବର ଉଠିଥିଲା। ସେହିପରି ସିନେମା ଟାଇଟଲ ରେଜିଷ୍ଟ୍ରେଶନ ପାଇଁ ୩ହଜାର ବଦଳରେ ୨ହଜାର ଓ ପୋଷ୍ଟର ରେଜିଷ୍ଟ୍ରେଶନ ପାଇଁ ୧,୫୦୦ ବଦଳରେ ଏକ ହଜାର ଟଙ୍କା ପୈଠ କରିବାକୁ ହେବ। ୟୁସିସି କୋଷାଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି, ଏବେ ୟୁସିସି ସକ୍ରିୟ ହୋଇ କାମ କରିବ। ବୈଠକ କରି ପୂର୍ବରୁ ରହିଥିବା ସମସ୍ୟା ଉପରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ଏଥିସହ ଅର୍ଥ, ସଂସ୍କୃତି, ଇଣ୍ଡଷ୍ଟ୍ରି ସଚିବଙ୍କୁ ଭେଟି ବର୍ତ୍ତମାନର ସମସ୍ୟା ସମ୍ପର୍କରେ ଜଣାଇବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏଶନ୍‌(ଓଏଫ୍‌ପିଏ)ର ଯୁଗ୍ମ ସଚିବ ତଥା ୟୁସିସିସିର ସଦସ୍ୟ ସଚ୍ଚିକାନ୍ତ ଜେନା କହିଛନ୍ତି, ୟୁସିସି ଏକ ପୁରାତନ ସଂସ୍ଥା। ନୂତନ କରି କିଛି କରିବାକୁ ହେଲେ ଜେନେରାଲ ବଡିର ଅନୁମତି ଆବଶ୍ୟକ। ସେଥିପାଇଁ ଦୁଇ ତୃତୀୟାଂଶର ସମର୍ଥନ ମଧ୍ୟ ଜରୁରୀ ଅଟେ। ୟୁସିସିରେ ନିର୍ବାଚନ ନ କରିବାକୁ ନୂତନ ସଭାପତି ସଞ୍ଜୟ ନାୟକ ନିଜେ ଉଚ୍ଚ ନ୍ୟାୟାଳୟରେ କେସ୍‌ କରିଥିବା ବେଳେ ବୁଧବାର ଖବରଦାତା ସମ୍ମିଳନୀ ଆୟୋଜନ କରି ୟୁସିସି ସମ୍ପର୍କିତ ସୂଚନା କିପରି ପ୍ରଦାନ କରିଛନ୍ତି। ୟୁସିସିର ସମସ୍ତ ଡକ୍ୟୁମେଣ୍ଟ କଟକ ଏଡିଏମ୍‌ଙ୍କ ନିକଟରେ ଅଛି। କେସ୍‌ ମଧ୍ୟ ଏବେ ତାଙ୍କ ଅଧୀନରେ ଅଛି। ତେଣୁ ନୂତନ କର୍ମକର୍ତ୍ତା ମନୋନୟନ ସମ୍ପର୍କରେ ଏଡିଏମ୍‌ଙ୍କ ଠାରୁ ଅନୁମତି ନିଆଯାଇଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ ବୋଲି ଜେନା କହିଛନ୍ତି।

Share