Categories: ଜାତୀୟ

ସୂର୍ଯ୍ୟ ନମସ୍କାର ନେଇ ବିବାଦ…

ନୂଆଦିଲ୍ଲୀ, ୪।୧ : ଦେଶରେ ସ୍ବାଧୀନତା ଦିବସର ୭୫ ତମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଜାନୁୟାରୀ ୧ରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଛି। ମପର୍ସନାଲ ଲ ବୋର୍ଡର ସାଧାରଣ ସମ୍ପାଦକ ମୌଲାନା ଖାଲିଦ ସୈଫୁଲ୍ଲା ରହମାନି ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର।

ଭାରତୀୟ ସମ୍ବିଧାନ ପ୍ରତି ନାଗରିକଙ୍କୁ ନିଜ ନିଜ ଧର୍ମ ଅନୁସାରେ ପୂଜା ପଦ୍ଧତି ଅବା ପ୍ରାର୍ଥନା କରିବାର ଅଧିକାର ପ୍ରଦାନ କରିଛି। ଏପରିସ୍ଥଳେ ବାଧ୍ୟତାମୂଳକ ଭାବେ କାହା ଉପରେ କୌଣସି ପଦ୍ଧତି ଗ୍ରହଣ କରିବାକୁ କୁହା ଯାଇ ପାରିବ ନାହିଁ।
ସମ୍ବିଧାନର ଧର୍ମନିରପେକ୍ଷ ମୂଲ୍ୟବୋଧକୁ ସମ୍ମାନ ଜଣାଇ ସରକାର ଏଭଳି ନିର୍ଦ୍ଦେଶ ପ୍ରତ୍ୟାହାର କରିବା ଉଚିତ। ଯଦି ସରକାର ପ୍ରକୃତ ଦେଶ ପ୍ରତି ପ୍ରେମ ବ୍ୟକ୍ତ କରିବା ଲାଗି ସରକାର ଦେଶର ପ୍ରକୃତ ସମସ୍ୟା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସବୁ ଧର୍ମର ପିଲାମାନେ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ତେଣୁ ବିଦ୍ୟାଳୟରେ ଏଭଳି କରିବାକୁ ଅନୁମତି ଦିଆଯିବା ଠିକ୍‌ ନୁହେଁ। ସ୍ବାଧୀନତା ଦିବସର ବାର୍ଷିକୀ ପାଳନ ଅବସରରେ ସରକାର ବିଦ୍ୟାଳୟରେ ଦେଶପ୍ରେମ ସହ ଜଡିତ ଗୀତ ଏବଂ ସଙ୍ଗୀତର କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ। ଜାତୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ସବୁବେଳେ କାର୍ଯ୍ୟକ୍ରମ ଏବଂ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ତେବେ ସୂର୍ଯ୍ୟ ନମସ୍କାର ଯୋଗର ଏକ ଅଂଶ ବିଶେଷ। ଯାହାକି ଶରୀର ରକ୍ଷା ଲାଗି ଅପରିହାର୍ଯ୍ୟ ବୋଲି ବହୁ ବରିଷ୍ଠ ନାଗରିକ ମତପୋଷଣ କରିଛନ୍ତି।

Share