କେନ୍ଦୁଝର,୩।୪(ସ୍ବ.ପ୍ର.):ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖ ୮ନମ୍ବର ୱାର୍ଡର ଗୌରତୋଟା ସାହିରେ ଆବାସ ଯୋଜନା ଘର ନିମାଣକୁ ନେଇ ବିବାଦ ଦେଖାଦେଇଛି । ଏନେଇ ରିଭା ସେଠୀ ନାମକ ଜଣେ ଭିନ୍ନକ୍ଷମ ମହିଳା ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଛନ୍ତି। ସେ ନିର୍ମାଣ କରିଥିବା ଆବାସ ଘରକୁ ଲଗେଇ ଅନ୍ୟ ଜଣେ ଆବାସ ଯୋଜନାରେ ଘର ନିର୍ମାଣ କରୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି ବୋଲି ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଏପରି କି ଘରକୁ ଯିବାକୁ ମାତ୍ର ୨ ଫୁଟ ରାସ୍ତା ଥିବା ମହିଳା ଜଣକ କହିଛନ୍ତି।
ଅନ୍ୟପକ୍ଷେ ସମ୍ପୃକ୍ତ ଘର କରିଥିବା ବ୍ୟକ୍ତିଙ୍କ ବିପିଏଲ୍ କାର୍ଡ ନ ଥିବା ଅଭିଯୋଗ ହୋଇଛି। ତେବେ ସେ କିପରି ଆବାସ ଘର ପାଇଲେ ଏବଂ ୪୮୦ ସ୍କୋୟାର ଫୁଟର ୨ ମହଲା ଘର କରୁଛନ୍ତି ଏନେଇ ସ୍ଥାନୀୟ ଲୋକେ ତଦନ୍ତ ଦାବି କରିଛନ୍ତି। ଏନେଇ କେନ୍ଦୁଝରଗଡ଼ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ହେଁ କେହି ଶୁଣୁ ନ ଥିବା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ସେମାନେ କହିଛନ୍ତି।