ଟୋକନ ବଣ୍ଟନକୁ ନେଇ ବିବାଦ, ଟାୟାର ଜାଳି ପ୍ରତିବାଦ କଲେ ଟ୍ରକ ମାଲିକ

କେନ୍ଦୁଝର,୧।୪(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରେ ଲୋଡିଂ ପାଇଁ ଟୋକନ ବଣ୍ଟାକୁ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଗୁରୁବାର ଅଶାନ୍ତି ଦେଖାଦେଇଛି। ଫଳରେ ଉତ୍ତ୍ୟକ୍ତ ଟ୍ରକ ମାଲିକ ତଥା ଚାଳକମାନେ ସ୍ଥାନୀୟ ତେନ୍ତୁଳି ଗ୍ରାମ ଟ୍ରକ ପାର୍କିଂ ୟାର୍ଡରେ ଏହାର ପ୍ରତିବାଦ ଜଣାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ଏନେଇ ଖଣି ସଂସ୍ଥା କିମ୍ବା ଟ୍ରକ ମାଲିକ ସଂଘ କିମ୍ବା ପୋଲିସ ପହଞ୍ଚି ଆଲୋଚନା କରୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟୋକନ ମିଳୁ ନ ଥିବାରୁ ଟ୍ରକ ଧରି ମାଲିକ ଓ ଚାଳକ ଦୀର୍ଘ ଦିନ ଧରି ଖରାରେ ଉକ୍ତ ପାର୍କିଂ ସ୍ଥଳରେ ଅଟକି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଆନ୍ଦୋଳନ ଯୋଗୁ ଲୁହାପଥର ପରି ବହନ ବାଧାପ୍ରାପ୍ତ ହୋଇଛି। ଟ୍ରକ ମାଲିକମାନଙ୍କୁ ଲୋଡ଼ିଂ ପାଇଁ ସାତ ଦିନ ଧରି ଅପେକ୍ଷା କରିବାକୁ ପଡୁଥିଲେ ହେଁ ଟୋକନ ମିଳୁନହିଁ। ଫଳରେ ଟୋକନ ହେରଫେର ଚାଲିଥିବା ଅଭିଯୋଗ କରି ଆନ୍ଦୋଳନ ଜାରି ରଖିଛନ୍ତି। ଟୋକନ ବାଣ୍ଟୁଥିବା ଲୋକମାନେ ହେରଫେର୍‌ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି କେତେକ ଟ୍ରକ ମାଲିକ ଅଭିଯୋଗ କରି ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ଏ ନେଇ ସଦର ଏସ୍‌ଡିପିଓ ପି.ଜେ. ଟପ୍ପୋ କହିଛନ୍ତି ଯେ ଘଟଣା ଉପରେ ନଜର ରଖାଯାଇଛି। ଏହା ସଂଘର ମାମଲା। ଏଣୁ ଟ୍ରକ ମାଲିକ ସଂଘ ପଦକ୍ଷେପ ନେବାକୁ କୁହାଯାଇଛି।

Share