ବାଲୁଗାଁ ,୧୩ା୧୨(ଡି.ଏନ୍.ଏ.): ବାଲୁଗାଁ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଶନିବାର ରାତିରୁ ପ୍ରଶାସନ ପକ୍ଷରୁ ଉକ୍ତ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ଥାଉ କି, ବିଗତ କିଛିବର୍ଷ ହେଲା ଏହି ମନ୍ଦିର ଟ୍ରଷ୍ଟ ବୋର୍ଡ ପରିବର୍ତ୍ତନ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। ତେବେ ଇତି ମଧ୍ୟରେ ଚଳିତ ଡିସେମ୍ବର ୧୦ରେ ମନ୍ଦିର ଦେବୋତ୍ତର ବିଭାଗୀୟ କମିଶନଙ୍କ ନିର୍ଦ୍ଦେଶାନାମା ନଂ ୮୮୫୦ ଏବଂ ଚିଠି ନଂ. ୧୨୫୦୬/ଏଲ୍ ଅନୁଯାୟୀ ଏକ ୯ଜଣିଆ ନୂତନ ଟ୍ରଷ୍ଟ ବୋର୍ଡକୁ ମନ୍ଦିର ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ନୂତନ ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଶନିବାର ନୂତନ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ବୈଠକ କରିବା ପାଇଁ ସଦସ୍ୟମାନେ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। କାର୍ଯ୍ୟାଳୟରେ ତାଲା ପଡ଼ିଥିବା ବେଳେ ପୂର୍ବରୁ ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ ଧରାଛୁଆଁ ନ ଦେବାରେ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ମନ୍ଦିର କାର୍ଯ୍ୟାଳୟକୁ ଖୋଲାଯାଉ ନ ଥିବା ନୂତନ ଟ୍ରଷ୍ଟବୋର୍ଡ ପ୍ରଶାସନକୁ ଅବଗତ କରାଇଥିଲେ। ଖବରପାଇ ଚିଲିକା ତହସିଲଦାର ପୁନମ୍ ମହାପାତ୍ର, ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମହାଲିକ୍ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଅନ୍ୟପଟେ ଏହି ବିବାଦକୁ ନେଇ କୌଣସି ଅଘଟଣକୁ ଏଡ଼ାଇବା ନିମନ୍ତେ ଥାନା ଆଇଆଇସିଙ୍କ ଆବେଦନକ୍ରମେ ଖୋର୍ଦ୍ଧା ସବ-ଡିଭିଜନାଲ କୋର୍ଟ ଘଟଣାର ଗୁରୁତ୍ୱକୁ ବିଚାର କରି ଉକ୍ତ ମନ୍ଦିର ଅଞ୍ଚଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରିଛନ୍ତି। କେବଳ ପୂଜା ନୀତି ସମ୍ପନ୍ନ ନିମନ୍ତେ ପୂଜକ ଓ ସେବାୟତ ମୋଟ ୫ଜଣ ମନ୍ଦିରରେ ଉପସ୍ଥିତ ରହିବେ। ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ରାତିରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ଅନ୍ୟପକ୍ଷେ ଠାକୁରଙ୍କୁ ଦର୍ଶନରୁ ବଞ୍ଚତ୍ତ ନେଇ ଭକ୍ତ ମହଲରେ ନୈରାଶ୍ୟଭାବ ଦେଖାଦେଇଛି। ତୁରନ୍ତ ଏହି ବିବାଦକୁ ସମାଧାନ କରାଯିବା ନିମନ୍ତେ ଶ୍ରଦ୍ଧାଳୁ ମହଲରେ ଦାବି ହୋଇଛି।