Categories: ଜାତୀୟ

ୟୁପି ପୋଲିସର ବୋଲ୍‌ବମ୍‌ ଯାତ୍ରା ନିର୍ଦ୍ଦେଶକୁ ନେଇ ବିବାଦ

ନୂଆଦିଲ୍ଲୀ,୧୯ା୭: ବୋଲ୍‌ବମ୍‌ ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରା ମାର୍ଗରେ ଥିବା ମୁଜାଫରନଗରର ସମସ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ସେମାନଙ୍କ ମାଲିକଙ୍କ ନାଁ ସାଇନ୍‌ବୋର୍ଡରେ ଉଲ୍ଲେଖ କରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ନିର୍ଦ୍ଦେଶ ଦେଇଥିଲା। ପୋଲିସର ଏଭଳି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହାକୁ କେତେଜଣ ଜର୍ମାନୀର ହିଟ୍‌ଲର ଶାସନ ସହ ତୁଳନା କରିଛନ୍ତି। ତେବେ କୌଣସି ଧର୍ମୀୟ ଭେଦଭାବ ସୃଷ୍ଟି କରିବା ନିର୍ଦ୍ଦେଶନାମାର ଉଦ୍ଦେଶ୍ୟ ନ ଥିଲା। କେବଳ କାଉଡ଼ିଆମାନଙ୍କୁ ସହାୟତା ପାଇଁ ଏହା କରାଯାଇଥିଲା ବୋଲି ପୋଲିସ କହିଛି।

ମୁଜାଫରନଗର ଜିଲାରେ ପ୍ରାୟ ୨୪୦ କିଲୋମିଟର ବୋଲ୍‌ବମ୍‌ ଯାତ୍ରା ମାର୍ଗ ରହିଛି। ଏହି ରୁଟ୍‌ରେ ଥିବା ହୋଟେଲ ଓ ଢାବାଗୁଡ଼ିକୁ ସେମାନଙ୍କ ମାଲିକ ଓ ଦୋକାନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ନାଁ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ମୁଜାଫରନଗର ଏସ୍‌ପି ଅଭିଷେକ ସିଂ କହିଛନ୍ତି। ଏହାଦ୍ୱାରା କାଉଡ଼ିଆମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିବ ନାହଁ ଏବଂ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବ ନାହିଁ। ହୋଟେଲ ଓ ଢାବା ମାଲିକମାନଙ୍କୁ ସ୍ବେଚ୍ଛାକୃତ ଭାବେ ନିର୍ଦ୍ଦେଶ ଅନୁପାଳନ କରିବାକୁ କୁହାଯାଇଥିଲା ବୋଲି ଏସ୍‌ପି କହିଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ଦଳ ପକ୍ଷରୁ ପୋଲିସର ଏଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରାଯାଇଛି।

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଶ୍ନ ଉଠାଇବା ସହ ଅଦାଲତ ସ୍ବତଃ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ବାନ ଦେଇଛନ୍ତି। ଏଭଳି ନିର୍ଦ୍ଦେଶ ସାମାଜିକ ଅପରାଧ ଏବଂ ଶାନ୍ତିପୂର୍ଣ୍ଣ ବାତାବରଣ ଓ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବା ଏହାର ଲକ୍ଷ୍ୟ ବୋଲି ଅଖିଳେଶ କହିଛନ୍ତି। ପୋଲିସର ଏଭଳି କାର୍ଯ୍ୟକୁ ବଲିଉଡ୍‌ ଗୀତିକାର ଜାଭେଦ ଅଖତର ସମାଲୋଚନା କରିବା ସହ ନାଜି ଜର୍ମାନୀ ସହ ତୁଳନା କରିଛନ୍ତି।

Share