ଆଇନଜୀବୀଙ୍କୁ ଦୁର୍ବ୍ୟବହାର ନେଇ ବିବାଦ ତେଜୁଛି

ନୟାଗଡ଼ ଅଫିସ,୨୬।୫:ନୟାଗଡ଼ ଜିଲା ରଣପୁର ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ରଣପୁର ତହସିଲଦାର ର୍ଦୁବ୍ୟବହାର କରିବା ଘଟଣା ବିବାଦୀୟ ହୋଇପଡିଛି । ତହସିଲଦାରଙ୍କୁ ବଦଳି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନଜୀବୀ ସଂଘ ଅଡି ବସିଥିବାବେଳେ ରଣପୁରର କେତେଜଣ ବ୍ୟକ୍ତି ତହସିଲଦାରଙ୍କୁ ବଦଳି ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଭଳି ସ୍ଥଳେ ତହସିଲଦାର ଦୁର୍ବ୍ୟବହାର ଘଟଣା ଧିରେ ଧିରେ ନୂଆ ମୋଡ ନେବା ଆରମ୍ଭ କରିଛି । ତେବେ ରଣପୁର ମହିଳା ଆଇଜୀବୀଙ୍କୁ ଦୁର୍ବ୍ୟବହାର ଘଟଣାରେ ନୟାଗଡ଼ ବାର ଆସୋସିଏଶନ ନିନ୍ଦା କରିଛି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ତହସିଲଦାରଙ୍କୁ ବଦଳି କରିବାକୁ ନୟାଗଡ଼ ବାର ଆସୋସିଏଶନର ସଭାପତି ମନୋରଞ୍ଜନ ମହାପାତ୍ର ଓ ସମ୍ପାଦକ ସ୍ବଦେଶ ମିଶ୍ର ଦାବି କରି ପ୍ରେସ ବିବୃତ୍ତି ଦେଇଛନ୍ତି । ଅନ୍ୟପକ୍ଷେ ନୟାଗଡ଼ ବାର ଆସୋସିଏଶନର ପୂର୍ବତନ ସଭାପତି ରଣଜିତ ଦାଶ ଓ ବରିଷ୍ଠ ଆଇନଜୀବୀ ଅମୀୟ ପଟ୍ଟନାୟକ କହିଛନ୍ତି, ମହିଳା ଆଇନଜୀବୀଙ୍କ ଅଭିଯୋଗ ପରେ ଜଣେ ତହସିଲଦାରଙ୍କ ବିରୋଧରେ ରଣପୁର ଥାନାରେ ଫୌଜଦାରୀ ମାମଲା ରୁଜୁ ହୋଇଛି । ତେବେ ତହସିଲଦାରଙ୍କୁ ପୋଲିସ କାହିଁକି ଗିରଫ କରୁନାହିଁ । ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ଆଇନକୁ ତା’ବାଟରେ ଯିବାକୁ କାହିଁକି ଦିଆଯାଉନି। ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି । ଅପରପକ୍ଷେ ରଣପୁର ତହସିଲଦାରଙ୍କୁ ବଦନାମ ଓ ନିନ୍ଦିତ କରିବାକୁ ଗୁପ୍ତମନ୍ତ୍ରଣା ହୋଇଛି । ଏହାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଆରଡିସି, ଜିଲାପାଳ, ଉପଜିଲାପାଳ, ଏସପିଙ୍କ ନିକଟରେ ରଣପୁରର କେତେଜଣ ବ୍ୟକ୍ତି ବିଚିତ୍ର କୁମାର ପାଇକରାୟଙ୍କ ନେତୃତ୍ୱରେ ଫେରାଦ୍‌ ହୋଇଛନ୍ତି । ଅଭିଯୋଗ ଅନୁସାରେ ରଣପୁର ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡା ଖଣି ଖନନ ଓ ପରିବହନ ବଢ଼ି ଚାଲିଥିଲା । ଏନ୍‌ଜିଟିରେ ମାମଲା ପରେ ରଣପୁର ତହସିଲଦାର ଈପ୍‌ସିତା ସାହୁ ଚଢ଼ାଉ ଓ ଧରପଗଡକୁ ତ୍ୱରାନ୍ବିତ କରିଛନ୍ତି । ଏଣୁ ଅନେକ ଖଣି ବ୍ୟବସାୟୀ, ଚାନ୍ଦା ନେଉଥିବା ବ୍ୟକ୍ତିଙ୍କ କ୍ଷତି ହେଉଛି । ଯେଉଁମାନେ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ସହଯୋଗରେ ରଣପୁର ତହସିଲଦାରଙ୍କୁ ବଦଳି କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଏଥିପାଇଁ ତହସିଲଦାରଙ୍କୁ ନିନ୍ଦିତ ଓ ବଦନାମ କରିବାକୁ ଗୁପ୍ତମନ୍ତ୍ରଣା କରାଯାଇ ସବୁ ଯୋଜନା ମୁତାବକ ହେଉଛି । ସେହିଭଳି ରଣପୁରରେ ଏକ କମନ ସର୍ଭିସ ସେଣ୍ଟର ୪୦ ହଜାର ଟଙ୍କା ସରକାରଙ୍କୁ ନ ଦେଇ ବକେୟା ରଖିଛି । ବକେୟା ଅର୍ଥ ତୁରନ୍ତ ପଇଠ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେବା ପରେ ତାଙ୍କୁ ହଟାଇବାକୁ ଯୋଜନା କରା ଯାଇଛି । ଏକ କମନ ସର୍ଭିସ ସେଣ୍ଟର ୪୦ ହଜାର ଟଙ୍କା ବକେୟା ଘଟଣାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ । ଏଣୁ ଅଯଥାରେ ତହସିଲଦାରଙ୍କୁ ବଦଳି ନ କରିବାକୁ ଦାବି ଉଠିଲାଣି ।
ସୂଚନାଯୋଗ୍ୟ, ଖମାରସାହିର ଲିତାଞ୍ଜଳି ସାହୁ(୫୨) ନାମ୍ନୀ ଜଣେ ମହିଳା ଆଇନଜୀବୀଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗ କରି ରଣପୁର ଥାନାରେ ଏତଲା ଦେବା ପରେ ତହସିଲଦାରଙ୍କ ବିରୋଧରେ ମାମଲା ହୋଇଛି । ସେହିପରି ରଣପୁର ତହସିଲଦାର ଈପ୍‌ସିତା ସାହୁ ମହିଳା ଆଇନଜୀବୀଙ୍କ ବିରୋଧରେ ରଣପୁର ଥାନାରେ ପାଲଟା ଅଭିଯୋଗ କରିବା ପରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। କିଛି ଦିନ ହେଲା ତହସିଲଦାର ଛୁଟିରେ ଥିଲେ । ଗୁରୁବାର କାର୍ଯ୍ୟରେ ଯୋଗ ଦେବା ପରେ ପୁଣି ବିବାଦ ବଢ଼ିବା ଆରମ୍ଭ କରିଛି ।