ସାପକାମୁଡ଼ା ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର, ୭ା୯(ଅସମାପିକା ସାହୁ)ଓସ୍‌ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌-୨୦୨୩ରେ ପ୍ରକାଶିତ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ୨୦୧୫-୧୬ ରୁ ୨୦୨୧-୨୨ ଅର୍ଥାତ୍‌ ୭ବର୍ଷରେ ୫,୩୩୩ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି। କିନ୍ତୁ ସେହି ବହିର ୩୫ ନମ୍ବର ପୃଷ୍ଠାରେ ଏହି ୭ବର୍ଷ ମଧ୍ୟରେ ୬,୧୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ସେହିଭଳି ୩୬ ନମ୍ବର ପୃଷ୍ଠାରେ ଦିଆଯାଇଥିବା ରାଜ୍ୟ ମାନଚିତ୍ରରେ ୩୦ ଜିଲାରେ ଦିଆଯାଇଥିବା ମୃତ୍ୟୁସଂଖ୍ୟାକୁ ମିଶାଇଲେ ମଧ୍ୟ ୬,୧୩୨ ହେଉଛି। କିନ୍ତୁ ସେହି ବହିର ୧୦୯ ନମ୍ବର ପୃଷ୍ଠାରେ ୨୦୧୫-୨୦୨୨ ମଧ୍ୟରେ ୬,୩୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି, ଯାହାକି ଓସ୍‌ଡମା ରିପୋର୍ଟର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଓସ୍‌ଡମା ପକ୍ଷରୁ ସାପକାମୁଡ଼ା ମୃତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଦିଆଯାଉଛି। ଯଦି ଏଠାରେ ମୃତ୍ୟୁ ସଂଖ୍ୟା ଠିକ୍‌ ନାହିଁ, ତେବେ ଏହି ଅନୁକମ୍ପା କେତେ ଜଣଙ୍କୁ ଦିଆଯାଇଛି ତାହା ମଧ୍ୟ ସନ୍ଦେହ ଘେରକୁ ଆସୁଛି।
ଅପରପକ୍ଷରେ ଏସ୍‌ଆର୍‌ସିଙ୍କ ୱେବ୍‌ସାଇଟରେ ୨୦୧୫ରୁ ୨୦୨୨ ପର୍ଯ୍ୟନ୍ତ ଉପଲବ୍ଧ ଆନୁଆଲ ରିପୋର୍ଟ ଅନ୍‌ ନାଚୁରାଲ କାଲାମିଟିଜ୍‌ ବହିର ତଥ୍ୟକୁ ଅନୁଧ୍ୟାନକଲେ ଓସ୍‌ଡମାର ତଥ୍ୟ ଅଧିକ ଦ୍ୱନ୍ଦ୍ୱ ବଢ଼ାଉଛି। ଏସ୍‌ଆର୍‌ସିଙ୍କ ଓ୍ବେବ୍‌ସାଇଟରେ ପ୍ରକାଶିତ ପୁସ୍ତକରେ ଦର୍ଶାଯାଇଛି ଯେ ୨୦୧୫-୧୬ରେ ୩୦୫ ଜଣଙ୍କ ସାପକାମୁଡ଼ାରେ ମୃତ୍ୟୁ ହୋଇଥିବାବେଳେ, ୨୦୧୬-୧୭ରେ ୫୪୨, ୨୦୧୭-୧୮ରେ ୮୨୪, ୨୦୧୮-୧୯ରେ ୮୨୩, ୨୦୧୯-୨୦ରେ ୯୫୧, ୨୦୨୦-୨୧ରେ ୧୦୩୫ ଏବଂ ୨୦୨୧-୨୨ରେ ୮୪୪ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୫୪ ନମ୍ବର ପୃଷ୍ଠାରେ ୨୦୨୦-୨୧ରେ ୧,୦୩୫ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଯାଇଥିବାବେଳେ ୫୫ ପୃଷ୍ଠାରେ ୧,୦୪୪ ଲେଖାଯିବାର କାରଣ କିଛି ଦର୍ଶାଯାଇ ନାହିଁ। ଏସ୍‌ଆର୍‌ସିଙ୍କ ତଥ୍ୟାନୁସାରେ ୨୦୧୫ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ ମୋଟ ୫,୩୩୩ ଜଣଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍‌ ଓସ୍‌ଡମାର ଷ୍ଟେଟ ପ୍ଲାନ୍‌ ୨୦୨୩ର ୨୨ ନମ୍ବର ପୃଷ୍ଠାରେ ଦିଆଯାଇଥିବା ତଥ୍ୟ ସହିତ ସମାନ ହେଉଛି।
ଏସ୍‌ଆର୍‌ସିଙ୍କ ୱେବ୍‌ସାଇଟରେ ଉପଲବ୍ଧ ପ୍ରତି ଜିଲାର ଡିଷ୍ଟ୍ରିକ୍ଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌ ରିପୋର୍ଟରେ ମଧ୍ୟ ତଥ୍ୟ ଠିକ୍‌ରେ ଦିଆଯାଇ ନ ଥିବା ଦେଖାଯାଇଛି। ୩୦ ଜିଲାରୁ ମାତ୍ର ୮ ଜିଲା ୨୦୧୫ ରୁ ୨୦୨୨ ଯାଏ ପ୍ରତି ଆର୍ଥିକ ବର୍ଷର ସାପ କାମୁଡ଼ା ମୃତ୍ୟୁସଂଖ୍ୟା ଉଲ୍ଲେଖ କରିଛନ୍ତି। ସେଗୁଡ଼ିକ ହେଲା ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, କଟକ, ଭଦ୍ରକ ଓ ବରଗଡ଼। କେବଳ ସମ୍ବଲପୁର ଜିଲା ହିଁ ଜିଲାର ପ୍ରତି ବ୍ଲକରେ ପ୍ରତି ବର୍ଷ କେତେ ସାପ କାମୁଡ଼ା ମୃତ୍ୟୁ ହୋଇଛି ତାହାର ରିପୋର୍ଟ କରିଛି। ଢେଙ୍କାନାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲା ତରଫରୁ ଗତ ୪ ବର୍ଷର ତଥ୍ୟ ନିଜ ରିପୋର୍ଟରେ ଦିଆଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ ଖୋର୍ଦ୍ଧା ଜିଲା ତରଫରୁ ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ସମ୍ପର୍କିତ କୌଣସି ତଥ୍ୟ

ଦିଆଯାଇନାହିଁ। ଏନେଇ ସ୍ନେକ୍‌ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏସ୍‌ଆର୍‌ସିଙ୍କ ଆନୁଆଲ ରିପୋର୍ଟ ଅନ୍‌ ନାଚୁରାଲ କାଲାମିଟିଜ୍‌ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଠିକ୍‌ ନା ଓସ୍‌ଡମା ଦ୍ୱାରା ପ୍ରସ୍ତୁତ ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍‌-୨୦୨୩ର ତଥ୍ୟ ଠିକ୍‌ ସେନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ସନ୍ଦେହକୁ ଦୂର କରିବା ପାଇଁ ସରକାର ୨୦୧୫ରୁ ସାପକାମୁଡ଼ା ମୃତ୍ୟୁସଂଖ୍ୟା ଏବଂ ଦିଆଯାଇଥିବା ଅନୁକମ୍ପା ରାଶିକୁ ସ୍ବତନ୍ତ୍ର ଅଡିଟ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଆବଶ୍ୟକ ବୋଲି ମଲ୍ଲିକ କହିଛନ୍ତି।
ଏ ସମ୍ପର୍କରେ ଓସ୍‌ଡମା ଏମ୍‌ଡି ଜ୍ଞାନ ରଞ୍ଜନ ଦାସ କହିଛନ୍ତି, ସମସ୍ତ ଜିଲାପାଳ ଅନ୍‌ଲାଇନ୍‌ ପୋର୍ଟାଲରେ ଏଣ୍ଟ୍ରି କରନ୍ତି। ବେଳେବେଳେ ପ୍ରାଥମିକ ପର୍ଯ୍ୟାୟରେ ସାପ କାମୁଡ଼ା ଯୋଗୁ ମୃତ୍ୟୁ ଘଟିଥିବ ବୋଲି ଜଣାପଡ଼ିଥିବ, କିନ୍ତୁ ବ୍ୟବଚ୍ଛେଦ ପରେ ତାହା ଅନ୍ୟ କାରଣ ଜଣାପଡ଼ିଥାଏ। ତେଣୁ ସେ ସମୟରେ ସଂଖ୍ୟା ଭିତରେ ଟିକେ ଏପଟ ସେପଟ ହୋଇପାରେ। ତଥାପି ଯଦି ତଥ୍ୟ ମ୍ୟାଚ୍‌ କରୁନାହିଁ, କ୍ରସ୍‌ ଚେକ୍‌ କରିଦେବେ ବୋଲି ଏମ୍‌ଡି କହିଛନ୍ତି। ଅପରପକ୍ଷେ ଉକ୍ତ ୭ବର୍ଷରେ ସାପ କାମୁଡ଼ା ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିବା ନେଇ ସେ କହିଛନ୍ତି, ମୃତ୍ୟୁର ୧୫ଦିନ ଭିତରେ ଏହି ରାଶି ପ୍ରଦାନ କରିବା ପାଇଁ ଆମର ନିର୍ଦ୍ଦେଶ ରହିଛି। କିନ୍ତୁ ତାହା ବ୍ୟବଚ୍ଛେଦ ରିପୋର୍ଟ ଉପରେ ନିର୍ଭର କରେ। ଯଦି ସବୁ ତଥ୍ୟ ଠିକ୍‌ ଥାଏ, ତେବେ ୭ଦିନରେ ବି ଦିଆଯାଇଥାଏ।
ଅନ୍ୟପକ୍ଷରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟାରେ ତାଳମେଳ ରହୁ ନ ଥିବା ସନ୍ଦେହ କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଗତ ମାସଠାରୁ ରାଜ୍ୟର ପ୍ରତି ଜିଲାରୁ ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକଠାରୁ ପ୍ରତ୍ୟେକ ଦିନ ସାପ କାମୁଡ଼ା ରୋଗୀଙ୍କ ସମ୍ବନ୍ଧୀୟ ତଥ୍ୟ ମଗାଇ ନିଜ ଡାଟାବେସ୍‌ରେ ରଖିବା ଆରମ୍ଭ କରିଛି। ଓସ୍‌ଡମା ଏବଂ ଏସ୍‌ଆର୍‌ସିଙ୍କ ସାପ କାମୁଡ଼ା ମୃତ୍ୟୁ ତଥ୍ୟ ଅମେଳ ହେଉଥିବାରୁ ହୁଏତ ସରକାର ଏଭଳି ପଦକ୍ଷେପ ନେବା ପାଇଁ ବାଧ୍ୟ ହୋଇଛନ୍ତି।

Share