Categories: ଜାତୀୟ

ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ ସାମ୍ବିଧାନିକ ଅଧିକାର…

ପ୍ରୟାଗରାଜ,୧।୮: ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ ଆଇନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ କୌଣସି ଧର୍ମ ଗ୍ରହଣ କରିବାର ଅଧିକାର ଅଛି। ନିଜର ଇଚ୍ଛା ଦ୍ୱାରା ବିବାହ କରିବା ଏକ ସାମ୍ବିଧାନିକ ଅଧିକାର। ତେବେ ଅଭିଯୁକ୍ତ ଜାଭେଦ ଅନସାରୀଙ୍କ ବିରୋଧରେ ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। ଉର୍ଦ୍ଦୁରେ ଲିଖିତ କାଗଜରେ ଜାଭେଦ ପୀଡିତାଙ୍କ ଠାରୁ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି। ଜାଭେଦ ପୂର୍ବରୁ ବିବାହିତ ଥିବା କଥାକୁ ମଧ୍ୟ ପୀଡିତାଙ୍କଠାରୁ ଲୁଚାଇ ରଖିଥିଲେ। ମିଥ୍ୟା କହି ଧର୍ମ ପରିବର୍ତ୍ତନ କରିଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ ୨୦୨୦ ନଭେମ୍ବର ୧୭ ଅପରାହ୍ନ ୫ରେ ଜଲେସର ବଜାରଠାରେ କିଛି ଲୋକ ତାଙ୍କୁ କାର୍‌ରେ ଅପହରଣ କରିଥିଲେ। ନଭେମ୍ବର ୧୮ରେ କଡ଼କଡ଼ଡୁମା କୋର୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏହାପରେ ନଭେମ୍ବର ୨୮ରେ ତାଙ୍କ ବିବାହ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ। ଜାଭେଦ କୋର୍ଟରେ ନିଜ ସପକ୍ଷରେ କହିଛନ୍ତି ଯେ ଉଭୟ ବୟସ୍କ ଏବଂ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି। ବିଚାରପତି ଶେଖର କୁମାର ଯାଦବଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥାଏ, ଲୋକମାନେ ସମ୍ମାନ ପାଇଁ ନିଜ ଘର ଛାଡିଥାନ୍ତି, ଅପମାନ ପାଇଁ ବେଳେବେଳେ ଧର୍ମ ପରିବର୍ତ୍ତନ କରନ୍ତି। ଧର୍ମର ଠିକାଦାରମାନଙ୍କୁ ଏନେଇ ନିଜକୁ ସଂସ୍କାର କରିନେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେବେ ନାଗରିକଙ୍କ ଧର୍ମର ପରିବର୍ତ୍ତନ ଯୋଗୁଁ ଦେଶ ଦୁର୍ବଳ ହୋଇଯାଏ। ବିଭ୍ରାନ୍ତକାରୀ ଶକ୍ତି ଏହାର ଲାଭ ପାଆନ୍ତି, ଇତିହାସ ହେଉଛି ସାକ୍ଷୀ ଯେ ଆମେ ବିଭାଜିତ ହୋଇଥିଲୁ, ଦେଶ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଆମେ ପରାଧୀନ ହୋଇଥିଲୁ ବୋଲି ଅଦାଲତ କହିଛନ୍ତି। ଧର୍ମକୁ ଜୀବନଶୈଳୀ ଭାବରେ ମଧ୍ୟ ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ଜଷ୍ଟିସ ଯାଦବ କହିଛନ୍ତି, ଆସ୍ଥା ଏବଂ ବିଶ୍ୱାସକୁ ବନ୍ଧା ଯାଇପାରିବ ନାହିଁ। ଏଥିରେ ଭୟ ଏବଂ ଲୋଭର କୌଣସି ସ୍ଥାନ ନାହିଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସଂସ୍କାର। ନାଗରିକ ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ କରିପାରିବେ। ଏହା ସାମ୍ବିଧାନିକ ଅଧିକାର।

Share